Unknown

 

 

 

 

 

 

 

 

 

 

 

କାଗଜ କୁଆଡୁ ଆସେ

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

 

ମୁଖବନ୍ଧ

 

ଆମର ଅତି ଦରକାରୀ କାଗଜ ଆଧୁନିକ ବିଜ୍ଞାନର ମଣିଷ ସମାଜ ପାଇଁ ଯେ ଏକ ବଡ଼ ଦାନ ଏହା କେହି ଅସ୍ୱୀକାର କରିବେନି । କାଗଜ ନଥିଲେ ଆଧୁନିକ ସଭ୍ୟତା ଆଜି ଯେତେ ପ୍ରସାର ଲାଭ କରିଛି, ତାହା ସମ୍ଭବ ହୋଇପାରି ନଥାନ୍ତା I ଆଧୁନିକ ସମାଜରେ ଶିକ୍ଷା ଯେଉଁ ଭଳି ପ୍ରସାର ଘଟିଛି, ତାହା କେବଳ ସମ୍ଭବ ହୋଇପାରିଛି ଏଇ କାଗଜ ଯୋଗୁଁ । କାଗଜ ନ ଥିଲେ ଆମର ଶିକ୍ଷା କଦାପି ଏତେ ସର୍ବଜନିନ ହୋଇପାରି ନ ଥାନ୍ତା । ଆମ ସଭ୍ୟତାର ପ୍ରଧାନ ଅଂଶ ଏଇ କାଗଜ ଯେମିତି ତିଆରି ହୁଏ, କେତେ ପ୍ରକାରର କାଗଜ ଆମର କି କି କାମରେ ଆସେ ଓ ସେଗୁଡ଼ିକ କେମିତି ତିଆରି ହୁଏ, ତହିଁର ବିଶଦ ବିବରଣୀ ଏହି ବହିଟିରେ ଦିଆଯାଇଛି । ଚଳଚିତ୍ରମାନଙ୍କରେ ଯେଉଁ ସୁନ୍ଦର ସୁନ୍ଦର ପ୍ରାସାଦ, ମହଲ, କୋଠାବାଡ଼ି ମନ୍ଦିର ଆଦି ଦେଖାଯାଏ ସେଗୁଡ଼ିକ ପ୍ରକୃତରେ କେମିତି କାଗଜରୁ ତିଆରି ହୋଇ ଲୋକମାନଙ୍କଠାରେ ବାସ୍ତବ ପ୍ରାସାଦ କୋଠାଘରର ଭ୍ରମ ଜାତ କରାଏ, ତାହା ମଧ୍ୟ ଏଇ ବହିଟିରେ ଦର୍ଶାଯାଇଛି । କାଗଜ ସମ୍ବନ୍ଧୀୟ ବହୁ ତଥ୍ୟ ଏଇ ବହିଟି ସାହାଯ୍ୟରେ ପିଲାମାନେ ଜାଣି ପାରିବେ । ପିଲାମାନଙ୍କ ମନକୁ ପାଇଲା ଭଳି ଏ ସବୁ ବିଷୟ ଗପ ଆକାରରେ ଲେଖାଯାଇଛି । ଆମ ଏଇ ବହିଟି ପିଲାମାନଙ୍କ ଜ୍ଞାନ ବଢ଼ାଇବା ସଙ୍ଗେ ସଙ୍ଗେ ଆନନ୍ଦ ମଧ୍ୟ ପ୍ରଦାନ କରିବ ।

 

–ଲେଖକ

☆☆☆

 

କାଗଜ କୁଆଡ଼ୁ ଆସେ

 

ଖାଇବାଘର ପିଣ୍ଡାରେ ଠିଆ ହୋଇ କୁମାର କହିଲା, ‘‘ତୁ କଣ ଆଜି ଗପ ଶୁଣିବାକୁ ଯିବୁନି ରେଣୁ ? କାହିଁ ତୋର ତ ଏପର୍ଯ୍ୟନ୍ତ ଖିଆ ସରିଲାନି ? ମୁଁ ତେବେ ଯାଉଛି, ତୁ ପଛରେ ଥା-।’’

 

‘‘ନା, ନା, ଭାଇ, ଟିକିଏ ରହ, ମୋର ସରିଲାଣି । ମୁଁ ଖାଲି ମୁହଁ ଧୋଇ ପକାଏ ।’’ କହୁ କହୁ ହାତ ଧୋଇପକାଇଲା ରେଣୁ ।

 

ଭାଇ ଭଉଣୀ ଦୁଇ ଜଣ ଅଜାଙ୍କ କୋଠରୀ ଆଡ଼କୁ ଦୌଡ଼ିଲେ !

 

କୋଠରୀ ଭିତରକୁ ପଶି ଯାଉ ଯାଉ ରେଣୁ କହିଲା, ‘ଆମେ ଏଥର ଆସିଗଲୁ ଅଜା, ଆମକୁ କାଗଜ ତିଆରି କଥା କହ । ଆମେ ଆଜି ଖୁବ୍ ଚଞ୍ଚଳ ଆସିଛୁ ।’’

 

ସେମାନେ ଅଜାଙ୍କ ସାମନାରେ ଚଉକି ଉପରେ ବସିପଡ଼ିଲେ।

 

‘‘ଆଚ୍ଛା, ସାବାସ୍ ସାବାସ୍ ! ଏସବୁ କଥା ଶୁଣିବା ପାଇଁ କଣ ତୁମକୁ ଭଲ ଲାଗୁଛି ?’’

 

“ହଁ, ହଁ ଅଜା, ଭାରି ଭଲ ଲାଗୁଛି । ଆମ ବହିରେ ତ ଏ ବିଷୟରେ କିଛି ଲେଖା ନାହିଁ । ତୁମେ ନ କହିଲେ ଆମେ ଜାଣିବୁ କିପରି ?’' ରେଣୁ ଉତ୍ତର ଦେଲା ।

 

ଅଜା କହିଲେ, ‘ଯେଉଁ କାଗଜ ତୁମେମାନେ ଦେଖୁଛ, ସେଗୁଡ଼ିକର ତିଆରି ବେଶି ଦିନ ହେବନି । ଆଜକୁ ପ୍ରାୟ ଦୁଇ ଶହ ତିନି ଶହ ବର୍ଷ ହେଲା ଏଇ ଧରଣର କାଗଜ ତିଆରି ହେଉଛି । କିନ୍ତୁ ଏହାର ବହୁ ଆଗରୁ ସବା ପହିଲୁ କାଗଜ ତିଆରି ହୋଇଥିଲା ଚୀନ୍ ଦେଶରେ । ଆଜକୁ ପ୍ରାୟ ବାଇଶିଶହ ବର୍ଷ ତଳେ, ଯେତେବେଳେ ଚୀନ୍‍ରୁ ସଭ୍ୟତା ଖୁବ୍ ଉପରକୁ ଉଠିଥିଲା, ସେତେବେଳେ କାଗଜର ସର୍ବପ୍ରଥମ ଜନ୍ମ ହେଲା ସେହି ଦେଶରେ । ସେତେବେଳେ କାଗଜ ତିଆରି ହେଉଥିଲା ତୁଳା, ଛିଣ୍ଡା କନା, ଛିଣ୍ଡା ସୂତା ଆଦିରୁ ।’’

Image

(କୁମାର ଓ ରେଣୁ ଅଜାଙ୍କଠାରୁ ଗପ ଶୁଣୁଛନ୍ତି ।)

 

‘‘ତେବେ ସେ ଯୁଗରେ ଆମ ଦେଶର ଲୋକେ କେଉଁଥିରେ ଲେଖୁଥିଲେ ? ତାର ବହୁ ଆଗରୁ ଆମ ଦେଶର ଲୋକେ ତ ସଭ୍ୟ ହୋଇଥିଲେ ଓ ବହୁ ଲେଖାପଢ଼ା ମଧ୍ୟ ଆମ ଦେଶରେ ଚଳୁଥୁଲା ? କୁମାର ପଚାରିଲା ।

 

“ହଁ, ଠିକ୍ କହିଛୁ ବାବା ! ସେ ଯୁଗରେ ଆମ ଦେଶ ପୃଥିବୀରେ ଅନ୍ୟାନ୍ୟ ଦେଶଠାରୁ ଅଧିକ ସଭ୍ୟ ଓ ପ୍ରଭାବଶାଳୀ ଥିଲା । ମାତ୍ର କାଗଜ ଅଭାବରେ ସେମାନଙ୍କର ଶିକ୍ଷା କିମ୍ବା ଲେଖାପଢ଼ା ଅଟକି ଯାଇ ନଥିଲା । ଆମ ଦେଶର ଲୋକେ ତାଳ ଗଛରୁ ଓ ଭୁର୍ଜ ଗଛରୁ ପତ୍ର ଆଣି ତା ଉପରେ ଲେଖାଲେଖି କରୁଥିଲେ । ପୂରାକାଳରେ ଆମର ସବୁ ବଡ଼ ବଡ଼ ଗ୍ରନ୍ଥ, ପୁରାଣ, ଶାସ୍ତ୍ର ଆଦି ତାଳପତ୍ରରେ ଲେଖା ହେଉଥିଲା । ଆଜିକାଲି ମଧ୍ୟ ଆମ ଦେଶର ଗାଉଁଲି ଜ୍ୟୋତିଷୀମାନେ ଏହି ତାଳପତ୍ର ଉପରେ ଲୁହା ଲେଖନୀ ସାହାଯ୍ୟରେ ଜାତକ ଆଦି ଲେଖିବାର ଦେଖାଯାଏ । ଏବେ ମଧ୍ୟ ଆମ ଦେଶର ପୁରାତନ ପଣ୍ଡିତମାନଙ୍କର ଗ୍ରନ୍ଥସବୁ ତାଳପତ୍ର ପୋଥିରେ ଲେଖା ହୋଇ ବିଭିନ୍ନ ସ୍ଥାନରେ ରହିଛି ।’’

Image

‘କାଗଜ ତିଆରି ହେବା ପୂର୍ବରୁ ଆଉ ସବୁ ଦେଶର ଲୋକେ କଣ ଏହି ତାଳପତ୍ରରେ ଲେଖାଲେଖି କରୁଥିଲେ ?’’ ପଚାରିଲା ରେଣୁ ।

 

‘‘ହଁ, ମା, ଆମ ଦେଶ ଛଡ଼ା ଚୀନ୍ ଓ ତିବ୍ଦତ ଦେଶରେ ମଧ୍ୟ ଏହି ତାଳପତ୍ରର ପ୍ରଚଳନ ଥିଲା । ସେ ଦେଶମାନଙ୍କରେ ବହୁ ଗ୍ରନ୍ଥ ଏହି ତାଳପତ୍ର ପୋଥିରେ ଲେଖା ହୋଇଥିଲା ।’’

 

‘‘ସେକାଳର ଅନ୍ୟାନ୍ୟ ସଭ୍ୟ ଦେଶର ଲୋକେ କେଉଁଥିରେ ଲେଖାଲେଖି କରୁଥିଲେ, ସେ କଥା ତ କହିଲନି ଅଜା ?’' କୁମାର ପଚାରିଲା ।

Image

‘ସବୁଠାରୁ ପୁରୁଣା ସଭ୍ୟ ଦେଶ ମିଶରର ଲୋକେ ଆଉ ଏକ ଗଛର ପତ୍ର ଲେଖାଲେଖି ପାଇଁ ବ୍ୟବହାର କରୁଥିଲେ । ସେ ଗଛକୁ ପେପିରସ୍ ଗଛ ବୋଲି କହୁଥିଲେ । ଇତିହାସରୁ ଜଣାଯାଏ, ଆଜକୁ ପ୍ରାୟ ସାଢ଼େ ପାଞ୍ଚ ହଜାର ବର୍ଷ ପୂର୍ବେ ପେପିରସ୍ ଗଛର ପତ୍ର ଲେଖାଲେଖି ଦିଗରେ ବ୍ୟବହୃତ ହୋଇଥଲ । ମିଶର ବା ଆଜିକାଲିକାର ଇଜିପ୍ଟ ଦେଶରେ । ପେପିରସ୍ ଗଛ ମିଶରର ନୀଳ ନଦୀ ଉପତ୍ୟକାରେ ବହୁ ପରିମାଣରେ ଜନ୍ମେ । ଏହାର ପତ୍ର ଦେଖିବାକୁ ଲମ୍ବା ଲମ୍ବା । ଏହି ପତ୍ରଗୁଡ଼ିକୁ ଅଠା ଦେଇ ଯୋଡ଼ି ବଡ଼ ବଡ଼ ଖଣ୍ଡ ତିଆରି କରାଯାଉଥିଲା ଓ ତାରି ଉପର ଲୋକେ ଲେଖାଲେଖି କରୁଥିଲେ । ମିଶର ଛଡ଼ା ଗ୍ରୀସ୍, ରୋମ୍ ପ୍ରଭୃତି ସେକାଳରେ ସଭ୍ୟ ଦେଶମାନଙ୍କରେ ମଧ୍ୟ ପେପିରସ୍ ପତ୍ର ଲେଖାଲେଖି ପାଇଁ ବ୍ୟବହୃତ ହେଉଥିଲା । ଏହାଛଡ଼ା ସେସବୁ ଦେଶର ଲୋକେ ମେଣ୍ଢା, ଘୁଷୁରି, ଛେଳି ଚମଡ଼ାକୁ ଚାଞ୍ଚି ପତଳାକରି ତା’ଉପରେ ମଧ୍ୟ ଲେଖାଲେଖି କରୁଥିଲେ ।

 

ଏହି ପତଳା ଚମଡ଼ାକୁ ସେ ଦେଶର ଲୋକେ କହୁଥିଲେ ପାର୍ଚମେଣ୍ଟ । ରାଜାରାଜୁଡ଼ାମାନଙ୍କ ସିରସ୍ତାରେ ଦାୟିତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଏହାରି ଉପରେ ଲେଖା ହେଉଥିଲା । ପେପିରସ୍ ପତ୍ର ଅପେକ୍ଷା ଏଗୁଡ଼ିକ ବେଶି ଦିନ ରହିପାରେ ।’’

 

‘‘ଚୀନ୍ ଦେଶରେ ଯେଉଁ କାଗଜ ତିଆରି ହେଉଥିଲା, ତା କଣ ଦେଖିବାକୁ ଆଜିକାଲିକାର କାଗଜ ଭଳି ?’’ ରେଣୁ ପଚାରିଲା ।

 

‘‘ନା, ମା, ସେ ଯୁଗର କାଗଜ ଆଜିକାଲିକାର କାଗଜ ଭଳି ଏତେ ପାତଳା, ଚିକ୍କଣ କିମ୍ବା ସୁନ୍ଦର ନ ଥିଲା । ସେ ଯୁଗରେ କାଗଜ ପୂରାପୂରି ହାତରେ ତିଆରି ହେଉଥିବାରୁ ଏତେ ସୁନ୍ଦର ହୋଇପାରୁ ନଥିଲା ।’’

 

‘ଛାପାକଳ କେଉଁ ଦେଶ ସର୍ବପ୍ରଥମେ ଆବିଷ୍କାର କଲା, ତୁ ଜାଣୁ ରେଣୁ ?’’ କୁମାର ପଚାରିଲା ।

 

‘ନାଇଁ ଭାଇ, ମୁଁ ଜାଣିନି ।’’ ରେଣୁ ଉତ୍ତର କଲା ।

 

‘‘ଆମ ମାଷ୍ଟ୍ରେ କହୁଥିଲେ, ଜର୍ମାନୀ ଦେଶର ଗୁଟେନବର୍ଗ ନାମକ ଜଣେ ଲୋକ ସବା ପହିଲେ ଏହି ଛାପାକଳ ଉଦ୍ଭାବନ କରିଥିଲେ । ଏହା କଣ ସତ ଅଜା ?’’ କୁମାର କହିଲା ।

 

‘‘ହଁ, ବାବା, ଜର୍ମାନୀ ଦେଶର ଲୋକେ ସର୍ବପ୍ରଥମେ ଛାପାକଳ ଓ ତା’ ସଙ୍ଗେ ସଙ୍ଗେ ଆଜିକାଲିକା ଭଳି କାଗଜ ତିଆରି କରିପାରିଥିଲେ । ସେ ଦେଶର ଲୋକେ ଏସବୁ ବିଷୟରେ ଭାରି ବୁଦ୍ଧିଆ । ତୁମେସବୁ ଆଜିକାଲି ଯେତେ ବଡ଼ ବଡ଼ ଯନ୍ତ୍ରପାତି, ବିଭିନ୍ନପ୍ରକାରର ନୂଆ ନୂଆ ଜିନିଷ ଦେଖୁଛି, ସେସବୁର ଅଧିକାଂଶ ଏହି ଜର୍ମାନୀ ଦେଶରୁ ପହିଲେ ବାହାରିଲା । ବିଜ୍ଞାନ ଆଦି ବିଷୟରେ ସେ ଦେଶର ଲୋକେ ଭାରି ଆଗୁଆ ।’’

 

‘ଚୀନ ଦେଶରେ କାଗଜ ତିଆରି ହେବା କଥା ସେମାନେ ଆଗରୁ ଶୁଣିଥିଲେ । ତେଣୁ ତାଠାରୁ ଭଲ କାଗଜ କଳରେ ତିଆରି କରିବା ସେମାନଙ୍କ ପକ୍ଷେ ସହଜ ହେଲା ।’’

 

‘ଏ ଚୀନ ଦେଶର କଥା ସେମାନେ ଜାଣିଲେ କିପରି ?’'

 

‘‘ସେ ତ ଗୋଟାଏ ଇତିହାସ ବାବା, କହିବି ଶୁଣିବ ?’’

 

‘‘ହଁ, ହଁ, କୁହ ଅଜା !’’

 

ଅଜା ଆରମ୍ଭ କଲେ, ‘ଚୀନ୍ ଦେଶର ଏହି ଶିଳ୍ପ ଧୀରେ ଧୀରେ ଇଉରୋପକୁ ଆସିଥିଲା-। ଆରବ ଦେଶର କେତେକ ମୁସଲମାନ ଆକ୍ରମଣକାରୀଙ୍କ ଦ୍ଵାରା । ଚୀନ୍ ଦେଶର ଅଧିବାସୀମାନେ ବହୁତ ଦିନ ପର୍ଯ୍ୟନ୍ତ ସେମାନଙ୍କ କାଗଜ ତିଆରି କୌଶଳକୁ ଗୋପନ ରଖିଥିଲେ-। କିନ୍ତୁ ସପ୍ତମ ଶତାବ୍ଦୀର ଶେଷ ଆଡ଼କୁ ଆରବୀୟ ଓ ମୁର୍‍ମାନେ ଚୀନ୍ ଦେଶ ଆକ୍ରମଣ କରି ଚୀନ୍ ସଭ୍ୟତାକୁ ନଷ୍ଟ କରି ପକାଇଥିଲେ । ସେମାନେ ଚୀନ ଜୟ କରି ନିଜ ଦେଶକୁ ଫେରିଗଲାବେଳେ ଚୀନ୍‍ର କେତେକ କାଗଜ ତିଆରି କାରିଗରଙ୍କୁ ସଙ୍ଗରେ ଘେନିଗଲେ-। ଅଷ୍ଟମ ଶତାବ୍ଦୀର ପ୍ରାରମ୍ଭରେ ଏହି କାରିଗରମାନଙ୍କ ଦ୍ୱାରା ସମରକନ୍ଦଠାରେ କାଗଜ ତିଆରି ହେବାକୁ ଲାଗିଲା-। ଆରବୀୟମାନେ ପହିଲୁ.ପହିଲୁ ତୂଳା, ଛିଣ୍ଡାକନାରୁ କାଗଜ ତିଆରି କରୁଥିଲେ; କିନ୍ତୁ ପରେ ସେମାନେ ନଡ଼ା, ଛଣ, କୁଟା ଆଦିରୁ କାଗଜ ତିଆରି କରିବା କୌଶଳ ବାହାର କଲେ-। ଅଷ୍ଟମ ଶତାବ୍ଦୀର ଶେଷଆଡ଼କୁ ବାଗ୍‍ଦାହ୍‍ଠାରେ ସର୍ବପ୍ରଥମେ କାଗଜ ତିଆରି କରାଗଲା-। ଏହାର ପ୍ରାୟ ଛଅଶହ ବର୍ଷ ପରେ ଜର୍ମାନୀ ଦେଶରେ ଆଜିକାଲିକା ଭଳି କାଗଜକଳ ପ୍ରତିଷ୍ଠିତ ହେଲା । କାଗଜ ତିଆରିରେ ଚୀନାମାନଙ୍କର ଯେଉଁ କୌଶଳ ବାଗଦାଦ ପର୍ଯ୍ୟନ୍ତ ଗଡ଼ି ଆସିଥିଲା, ସେହି କୌଶଳ ପ୍ରଥମେ ଜର୍ମାନୀରେ ପ୍ରୟୋଗ କରାଯାଇ କାଗଜ ତିଆରି ହେଲା । ସେଠାରୁ ଏହା ସୁଇଜରଲାଣ୍ଡ ଓ ପରେ ହଲାଣ୍ଡ ଦେଶକୁ ବ୍ୟାପିଥିଲା । ରାଣୀ ଏଲିଜାବେଥ୍‍ଙ୍କ ଅମଳରେ ଇଂଲଣ୍ଡରେ କାଗଜକଳ ବସିଲା । ଏହିଭଳି ଭାବରେ କାଗଜତିଆରି ଶିଳ୍ପ ଇଉରୋପ ସାରା ଖେଳିଗଲା । ସେଠାରୁ ଏହା ଆମେରିକାକୁ ଗଲା ।’’

 

ରେଣୁ ପଚାରିଲା, ‘‘ଅଜା, ଆମ ଦେଶରେ କେବେ କାଗଜ ତିଆରି ଆରମ୍ଭ ହେଲା ?’’

 

‘ଆମ ଦେଶରେ ଆଜିକାଲିକାର ବୈଜ୍ଞାନିକ ରୀତିରେ କାଗଜ ତିଆରି ହେଲା ବହୁତ ପରେ । ଇଂରେଜମାନଙ୍କ ରାଜତ୍ଵ ଆରମ୍ଭରେ ଆମ ଦେଶକୁ ଇଉରୋପରୁ ଅପର୍ଯ୍ୟାପ୍ତ କାଗଜ ବିକ୍ରୟ ହେବାକୁ ଆସୁଥିଲା । କୁଟୀରଶିଳ୍ପ ଭାବରେ ଠାଏ ଠାଏ ଆମ ଦେଶରେ କାଗଜ ତିଆରି ହେଉଥିଲା । ବଡ଼ ବଡ଼ କଳ ବସାଇ ବିଧିବଦ୍ଧ ଭାବରେ କାଗଜ ତିଆରି ଆରମ୍ଭ ହେଲା ଆଜକୁ ମୋଟେ ପଚାଶ ଷାଠିଏ ବର୍ଷ ତଳେ ।?

 

‘କଳମାନଙ୍କରେ କାଗଜ କେଉଁଥିରୁ ତିଆରି ହୁଏ ଅଜା ? କାଗଜ କଣ କଳରେ ଖାଲି ଆଖୁସିଠାରୁ ତିଆରି ହୁଏ ? କାଲି ତୁମେ କହୁଥିଲ ଯେ ?’ କୁମାର ପଚାରିଲା ।

 

‘‘ନା, କାଗଜ କେବଳ ଆଖୁସିଠାରୁ ତିଆରି ହୁଏନି । ଆଖୁସିଠାରୁ ଯେଉଁ କାଗଜ ତିଆରି ହୁଏ, ଅନ୍ୟାନ୍ୟ ପଦାର୍ଥରୁ ତିଆରି କାଗଜ ତୁଳନାରେ ତା ଖୁବ୍ କମ୍ । କାଗଜ ବେଶି ପରିମାଣରେ ତିଆରି ହୁଏ କାଠରୁ। ପୃଥିବୀରେ ଯେତେ କାଗଜ ତିଆରି ହୁଏ, ସେଥିରୁ ଶତକଡ଼ା ନବେ ଭାଗ କାଠରୁ ତିଆରି ହୋଇଥାଏ । କାଗଜ ତିଆରିପାଇଁ ଯେଉଁ କାଠ ବ୍ୟବହୃତ ହୁଏ, ତାହା ଅନ୍ୟାନ୍ୟ କାଠ ତୁଳନାରେ ନରମ । ଏଥିପାଇଁ ଇଉରୋପ ଓ ଆମେରିକା ପ୍ରଭୃତି ଦେଶରେ ସ୍ପୃଶ୍, ପାଇନ୍, ହେମ୍‍ଲକ୍, ପୋପ୍‍ଲାର ପ୍ରଭୃତି ନାନାପ୍ରକାର ନରମା ଗଛର କାଠ ବ୍ୟବହୃତ ହୁଏ । କିନ୍ତୁ ଆମ ଦେଶରେ ଏସବୁ ଗଛ ନ ଥିବାରୁ କାଗଜ ତିଆରିପାଇଁ ଆମର ପ୍ରଧାନ ସାମଗ୍ରୀ ହେଉଛି ବାଉଁଶ, ସବାଇ ଘାସ, ଏସ୍‍ପାର୍ଟୋ ଘାସ, ଦେବଦାରୁ ପ୍ରଭୃତି କେତେକ ନରମା ଗଛ । ଆମ ଦେଶର ଛୋଟ ବଡ଼ କାଗଜ କଳମାନଙ୍କରେ ବାଉଁଶ ଅଧ୍ୟକ ପରିମାଣରେ ବ୍ୟବହୃତ ହୁଏ । କେତେକ ଦେଶରେ କାଠ ସଙ୍ଗେ ସଙ୍ଗେ ଗହମନଡ଼ା ମଧ୍ୟ ମିଶ୍ରିତ ହୁଏ ।’

 

‘‘କାଗଜ ତିଆରି ପାଇଁ ଆଉ କୌଣସି ପଦାର୍ଥ ବ୍ୟବହୃତ ହୁଏ ନାହିଁ ?’’ କୁମାର ପଚାରିଲା ।

 

‘‘ହଁ, ବାବା, ପ୍ରତ୍ୟେକ କାଗଜକଳରେ କାଠ, କୁଟା, ନଡ଼ା, ଘାସ ବ୍ୟତୀତ ଆଉ ଏକ ପଦାର୍ଥ କାଗଜ ତିଆରି ପାଇଁ ବ୍ୟବହୃତ ହୁଏ । ଏହି ଜିନିଷଟି ହେଉଛି ଛିଣ୍ଡା କନା । ଆମେରିକାରେ ପ୍ରତିବର୍ଷ ଦେଢ଼କୋଟି ମହଣ ଓଜନର କନା ଏ ଦିଗରେ ବ୍ୟବହୃତ ହୁଏ । ନିଜ ଦେଶରେ ଏତେ ଛିଣ୍ଡା କନା ମିଳୁ ନ ଥିବାରୁ ଜାପାନ, ଫ୍ରାନ୍ସ, ସ୍ପେନ ପ୍ରଭୃତି ଦେଶରୁ ଅପର୍ଯ୍ୟାପ୍ତ ଛିଣ୍ଡା କନା ଆମେରିକା ଆମଦାନୀ କରେ ।’’

 

“ଅଜା, ଏତେ ଛିଣ୍ଡାକନା ଆସେ କୁଆଡ଼ୁ ? ଚିରା, ପୁରୁଣା ଲୁଗା କଣ ଏଥିପାଇଁ ବ୍ୟବହୃତ ହୁଏ ? ଆମ ଦେଶରେ ଡେକ୍, ଆଲୁମିନିୟମ୍ ବାସନ ଦେଇ ଯେଉଁମାନେ ଚିରାଲୁଗା, ପେଣ୍ଟ, ଜାମା ଆଦି ନେଇଯାନ୍ତି, ସେଗୁଡ଼ିକ କଣ ଏଇଥିପାଇଁ ନିଅନ୍ତି ?’’ ରେଣୁ ପଚାରିଲା ।

 

‘‘ନା, ମା, ସେମାନେ ଯେଉଁ ଚିରା, ପୁରୁଣା ଲୁଗା ନିଅନ୍ତି, ସେଗୁଡ଼ିକ ଏଥିପାଇଁ ନୁହେଁ । ପୁରୁଣା ଲୁଗାର ତନ୍ତୁ ଦୁର୍ବଳ ହୋଇ ଯାଇଥିବାରୁ ସେଥିରୁ ଭଲ କାଗଜ ତିଆରି ହୋଇପାରେ ନାହିଁ-। ଦରଜି ଦୋକାନ, ଲୁଗାକଳ, ସୂତାକଳ ଇତ୍ୟାଦିରେ ଯେଉଁ ଟୁକୁରାକନା ବା ସୂତା ଫୋପାଡ଼ି ଦିଅନ୍ତି, ସେଗୁଡ଼ିକୁ ଗୋଟାଇ ଆଣି କାଗଜ ତିଆରି କଲେ କାଗଜ ବେଶ୍ ଟାଣ ଓ ଭଲ ହୁଏ-। କେତେକ କାରଖାନାରେ ଖୁବ୍ ଉତ୍କୃଷ୍ଟ ଧରଣର କାଗଜ ତିଆରି ପାଇଁ କପାତୁଳା ମଧ୍ୟ ବ୍ୟବହାର କରିଥାନ୍ତି ।’’

 

‘‘ଏହା ଛଡ଼ା ଆଉ କୌଣସି ଜିନିଷରୁ କଣ କାଗଜ ତିଆରି ହୁଏ ନାହିଁ ?’’ ରେଣୁ ପଚାରିଲା ।

 

‘‘ହଁ, ମା, ଛିଣ୍ଡା, ଲେଖା ହୋଇଥିବା କାଗଜରୁ ମଧ୍ୟ ନୂଆ କାଗଜ ତିଆରି କରିହୁଏ । ଆମେରିକାରେ ଯେତେ କାଗଜ ତିଆରି ହୁଏ, ସେଥୁର ତିନି ଭାଗରୁ ଭାଗେ ଏହି ଛିଣ୍ଡା କାଗଜରୁ ହିଁ ତିଆରି ହୁଏ ।’’

 

‘‘ଖାଲି ତନ୍ତୁଜାତୀୟ ଜିନିଷ ହେଲେ କାଗଜ ତିଆରି ହୋଇ ପାରିବନି । ଅବଶ୍ୟ ତନ୍ତୁଜାତୀୟ ପଦାର୍ଥ ହେଉଛି କାଗଜର ମୂଳପିଣ୍ଡ । ଖଣ୍ଡିଏ କାଗଜକୁ ଗୋଟିଏ ବଡ଼ ଅଣୁବୀକ୍ଷଣ ଯନ୍ତ୍ର ତଳେ ଥୋଇ ଦେଖିଲେ ଏଥରେ ଅସଂଖ୍ୟ ପ୍ରକାର ତନ୍ତୁ ନିଜ ନିଜ ସହିତ ଲାଖି ପତଳା କାଗଜ ସୃଷ୍ଟି କରିବାର ଦେଖିବ । ଏହି ତନ୍ତୁଜାତୀୟ ପଦାର୍ଥରୁ କେବଳ ତନ୍ତୁଗୁଡ଼ିକୁ ଅଲଗା କରି ବାହାର କରିବା ପାଇଁ ଓ ଏହି ତନ୍ତୁରୁ କାଗଜ ତିଆରି କରିବାପାଇଁ କେତେ ରକମର ରସାୟନିକ ପଦାର୍ଥ ଦରକାର ହୁଏ । ଏହିସବୁ ରାସୟନିକ ପଦାର୍ଥ ମଧ୍ୟରେ, ସୋଡ଼ାକ୍ଷାର, ସଲ୍‍ଫାଇଟ୍‍ ଲବଣ ଓ କ୍ଲୋରିନ୍ ଜଳ । କାଗଜକୁ ରଙ୍ଗ କରିବାପାଇଁ ନାଲି, ନୀଳ, ସବୁଜ ଆଦି ରଙ୍ଗ ଦରକାର ହୁଏ । କାଗଜରେ କାଳି ନ ଛପିବାପାଇଁ କେତେ ପ୍ରକାର ଧଳା ଚୀନାମାଟି, ଟେଲ୍‍କମ୍ ଚୁର୍ଣ୍ଣ, ଧଳା ଚକ୍‍ଖଡ଼ି, ଟିଟାନିୟମ୍ ଅକ୍ସାଇଡ୍ ପ୍ରଭୃତି ପଦାର୍ଥ ମିଶାଇବାକୁ ପଡ଼େ । କାଗଜ ପାଣିରେ ସହଜରେ ନ ଭେଦିବା ପାଇଁ ସେଥିରେ ଝୁଣା, ଫିଟିକିରି, ମହମ ଆଦି ବହୁତ ପ୍ରକାର ଜିନିଷ ଦେବାକୁ ପଡ଼େ-।’’

 

‘‘ଅଜା, ତୁମେ ଯାହା ସବୁ କହିଲ, ସେଥିରୁ ଜଣାପଡ଼ୁଛି, କାଗଜ ତିଆରି କରିବା ଏକ କଷ୍ଟ କାମ । ଆଗ ଯୁଗରେ ଲୋକେ ଯେଉଁ କାଗଜ ତିଆରି କରୁଥିଲେ, ସେଥିରେ କଣ ଏତେ ପ୍ରକାର ଜିନିଷ ମିଶାଉଥିଲେ ?’’ କୁମାର ପଚାରିଲା ।

 

‘‘ନା ବାବା, ସେ ଯୁଗରେ ଲୋକେ କଣ ଏତେ ଜିନିଷ କଥା ଜାଣିଥିଲେ ଯେ ସେଗୁଡ଼ିକୁ ସବୁ ମିଶାନ୍ତେ ? କାଗଜ କିପରି ଟାଣ ହେବ, ବେଶି ଦିନ ଯିବ, ଦେଖିବାକୁ ସୁନ୍ଦର ହେବ, ସେଥିରେ କାଳି ଚପିଯିବ ନାହିଁ–ଏସବୁ କଥା ସେମାନଙ୍କୁ ଜଣା ନ ଥିଲା । ସେମାନେ ସାଦାସିଧା ଭାବରେ କାଗଜ ତିଆରିକରି ଯାଉଥିଲେ । କିନ୍ତୁ ଏ ଯୁଗରେ ଲୋକେ ବିଜ୍ଞାନ ପଢ଼ି ଜାଣିଲେ ଯେ, ଉପରେ କୁହା ହୋଇଥବା ଜିନିଷସବୁ ମିଶାଇଲେ କାଗଜ ଟାଣ ହୁଏ, ବଇଁତିରି ଯାଏ, ଦେଖିବାକୁ ସୁନ୍ଦର ହୁଏ ।

 

‘ତାହେଲେ ସେ ଯୁଗରେ କେମିତି କାଗଜ ତିଆରି ହେଉଥିଲା, ସେ କଥା ଆମକୁ କୁହ ଅଜା !’‘ କୁମାର ପଚାରିଲା ।

 

‘‘ସବା ପହିଲେ କାଗଜ ତିଆରି ହେଲା ଚୀନ୍ ଦେଶରେ ଆଜକୁ ପ୍ରାୟ ସାଢ଼େ ବାଇଶି ଶହ ବର୍ଷ ତଳେ । ସେତେବେଳେ ସେ ଦେଶର ଲୋକେ ବାଉଁଶକୁ ଛୋଟ ଛୋଟ ଖଣ୍ଡ କରି କାଟି ପାଣିରେ ନରମ ହେବା ପର୍ଯ୍ୟନ୍ତ ଭିଜାଇ ଦେଉଥିଲେ । ତତ୍ପରେ ତାକୁ ଛେଚି ସେଥିରୁ ମଣ୍ଡ ତିଆରି କରୁଥିଲେ । ଏହି ମଣ୍ଡକୁ ଲୁଗାରେ ଛାଙ୍କି ସେଥିରୁ ବଡ଼ ବଡ଼ ଖଣ୍ଡକୁ ଅଲଗା କରି ନେଉଥିଲେ । ବଡ଼ ବଡ଼ ଭାଣ୍ଡରେ ପାଣି ପୂରାଇ ସେଥରେ ଏହି ମଣ୍ଡକୁ ଗୋଳାଇ ଦେଉଥିଲେ ।

Image

ହାତରେ କାଗଜ ତିଆରି ପ୍ରଣାଳୀ

 

ତା’ପରେ ଏହି ପାତ୍ରରୁ ଲୁଗା ଦିଆଯାଇଥବା ଏକପ୍ରକାର ସରୁ ଚାଲୁଣିରେ ଛାଙ୍କି ପାତଳା କାଗଜ ତିଆରି କରୁଥିଲେ । ଏହି କାଗଜକୁ ଖୁବ୍ ସାବଧାନ ହୋଇ ଚାଲୁଣିରୁ ବାହାର କରି ଖରାରେ ଶୁଖାଇ ଦେଉଥିଲେ । ଶୁଖିଗଲାରୁ ଏହାକୁ ନେଇ ଲେଖାଲେଖିରେ ବ୍ୟବହାର କରୁଥିଲେ । ସେତେବେଳକୁ ଏହା ଢେର୍ ଟାଣ ହୋଇଯାଇଥାଏ । ଆରବୀୟମାନେ ଯେତେବେଳେ କାଗଜ ତିଆରି କଲେ, ସେମାନେ ପହିଲୁ ପହିଲୁ ଛଣପଟ ଏବଂ ପରେ ତୂଳା, ଛିଣ୍ଡାକନା ଓ ଆହୁରି କେତେକ ତନ୍ତୁ ଦେଇ କାଗଜ ତିଆରି କରୁଥିଲେ । ପରେ ପରେ କାଗଜର ଉନ୍ନତି କରିବା ପାଇଁ ଆଲୁମଣ୍ଡ ସାରୁମଣ୍ଡ ଆଦି ଦେବାର ବ୍ୟବସ୍ଥା ହେଲା ।’’

 

‘‘ଆଜିକାଲି କୁଟୀରଶିଳ୍ପ ଭାବରେ ଯେଉଁ କାଗଜ ତିଆରି ହୁଏ, ତା କେତେକାଂଶରେ ଏଇଭଳି ହେଲେ ମଧ୍ୟ ସେଥିରେ କେତେ ପ୍ରକାର ଉନ୍ନତି କରାଯାଇଛି । କାଗଜକୁ ଧଳା କରିବା ପାଇଁ, କାଗଜ ସହଜରେ ବାଦାମୀ ହୋଇ ନ ଯିବାପାଇଁ ଓ କାଗଜ ଟାଣ ହେବା ପାଇଁ ଆଜିକାଲିକାର କେତେକ ଉପାୟ ଏହି ହାତତିଆରି କାଗଜ ଶିଳ୍ପରେ ଭରତି କରାଯାଇଛି ।’’

 

‘ତେବେ କଳରେ କିପରି କାଗଜ ତିଆରି କରାଯାଏ, କୁହ ଅଜା !’’ ରେଣୁ ପଚାରିଲା ।

 

‘କଳମାନେ ମେସିନରେ ଯେଉଁ କାଗଜ ତିଆରି କରାଯାଏ, ତାହା ପୂରାପୂରି ମେସିନ୍ ସାହାଯ୍ୟରେ ତିଆରି ହୁଏ । ମେସିନ୍ ପାଖରେ ଲୋକ ରହି ଏହି ମେସିନ୍ କାର୍ଯ୍ୟକୁ ଖାଲି ତଦାରଖ କରନ୍ତି ଓ କେଉଁଠି କେଉଁଠି ଗୋଟିଏ ମେସିନ୍‍ରୁ ଜିନିଷକୁ ଆଉ ଏକ ମେସିନ୍‍କୁ ବୋହି ନିଅନ୍ତି । ଶହ ଶହ ମହଣ କାଠ, ଘାସ, ନଡ଼ା ଆଦି ନିମିଷକ ମଧ୍ୟରେ ପେଷି ହୋଇଯାଇ ଶହ ଶହ ମହଣ ମଣ୍ଡରେ ପରିଣତ ହୁଏ । ଏହି ମଣ୍ଡରୁ ହଜାର ହଜାର ମିଟର କାଗଜ ସଙ୍ଗେ ସଙ୍ଗେ ତିଆରି ହୋଇଯାଇ ବାହାରି ଆସେ ।’’

 

‘କଳରେ ଏହିସବୁ କାମ ଆପେ ଆପେ କିପରି ହୋଇଯାଏ ଅଜା ?’’ କୁମାର ପଚାରିଲା ।

 

‘ସେସବୁ ଦେଖିବାକୁ ଭାରି ମଜା । ଗୋଟିଏ ମେସିନ୍‍ର ପ୍ରଥମ କାମ ହେଉଛି ମଣ୍ଡ ତିଆରି କରିବା । କାଠ, କୁଟା, ଘାସ, ବାଉଁଶ ଇତ୍ୟାଦିକୁ ଟିକି ଟିକି କରି ସେଥିରୁ ମଣ୍ଡ ତିଆରି କରିବା ହେଉଛି କାଗଜକଳର ପ୍ରଧାନ କାମ । ଏହି ମଣ୍ଡ ତିଆରି ସାଧାରଣତଃ ଦୁଇଟି ଉପାୟରେ ହୁଏ । ପ୍ରଥମ ଉପାୟଟି ହେଉଛି ଯନ୍ତ୍ର ସାହାଯ୍ୟରେ ମଣ୍ଡ ତିଆରି ଓ ଦ୍ୱିତୀୟ ଉପାୟ ହେଉଛି ରାସାୟନିକ ଦ୍ରବ୍ୟ ସାହାଯ୍ୟରେ ମଣ୍ଡ ତିଆରି ।’’

 

‘‘ଯନ୍ତ୍ର ସାହାଯ୍ୟରେ ମଣ୍ଡ କିପରି ତିଆରି ହୁଏ ଅଜା ? ଏଥିରେ କଣ ମଣିଷକୁ ପରିଶ୍ରମ କରିବାକୁ ପଡ଼େନି ?’'

Image

 

‘‘ହଁ ବାବା, ଯନ୍ତ୍ର ସାହାଯ୍ୟରେ ଯେଉଁଠାରେ ମଣ୍ଡ ତିଆରି କରାହୁଏ ସେଠାରେ ଗୋଟିଏ ପ୍ରକାଣ୍ଡ ପଥର ଚକ ଖୁବ୍ ଜୋରରେ ଘୂରୁଥାଏ । ଆଉ ଗୋଟାଏ ଯନ୍ତ୍ର ବଡ଼ ବଡ଼ କାଠଖଣ୍ଡକୁ ଖୁବ୍ ଜୋର୍ରେ ଏହି ଘୂରୁଥିବା ଚକ ପାଖରେ ଧରି ରଖେ । ଚକ କାଠଦେହରେ ଘଷି ହୋଇ କାଠକୁ ଗୁଣ୍ଡା ଭଳି କରିପକାଏ । ଏହି ଘୂରୁଥିବା ଚକ ଉପରେ ଗୋଟିଏ ପାଣିଧାର ଧୀରେ ଧୀରେ ଛଡ଼ାଯାଏ । କାଠର ଯେଉଁ ଅଂଶ ଘୂରିଯାଏ, ସେସବୁ ପିଠଉ ଭଳି ପାଣି ସାଙ୍ଗରେ ଗୋଳାଇ ହୋଇ ବାହାରିଯାଏ । ତୁମେସବୁ ଚନ୍ଦ୍ରନପେଡ଼ି ଉପରେ ଚନ୍ଦନକାଠ ଘୋରା ହେବା ଦେଖିଥବ ।

 

ଚନ୍ଦନକାଠକୁ ପଥର ପେଡ଼ି ଉପରେ ପାଣି ଦେଇ ଘଷିଲେ ଯେଉଁ ଚନ୍ଦନ ବାହାରେ, ତା ହେଉଛି ଚନ୍ଦନକାଠର ମଣ୍ଡ । ଯନ୍ତ୍ର ସାହାଯ୍ୟରେ ଯେଉଁ ମଣ୍ଡ ତିଆରି ହୁଏ ତା ଠିକ୍ ଦେଖିବାକୁ ଘୋରାଚନ୍ଦନ ପରି । ଏହି ଉପାୟରେ ମଣ୍ଡ ତିଆରି କରିବାକୁ ହେଲେ ଖୁବ୍ ନରମା କାଠ ଦରକାର-। ଏହି ଯେଉଁ ମଣ୍ଡ ତିଆରି ହୁଏ, ତାକୁ ଯାନ୍ତ୍ରିକ ମଣ୍ଡ କହନ୍ତି । ଯାନ୍ତ୍ରିକ ମଣ୍ଡ ତିଆରି ପାଇଁ କେବଳ କାଠ ବ୍ୟବହୃତ ହୁଏ–ତନ୍ତୁଜାତୀୟ ଅନ୍ୟ କୌଣସି ପଦାର୍ଥ ବ୍ୟବହୃତ ହୁଏ ନାହିଁ । ଏଥିପାଇଁ ଯେଉଁ କାଠ ବ୍ୟବହୃତ ହୁଏ,

 

ତା ଯେତେ ନରମ ହୁଏ ସେତେ ଭଲ । କାରଣ ନରମ କାଠରୁ ସହଜରେ ମଣ୍ଡ ତିଆରି କରି ହୁଏ । କାଠ ଖୁବ୍ ଟାଣ ହେଲେ ସହଜରେ ମଣ୍ଡ ତିଆରି କରି ହୁଏ ନାହିଁ । ଏହି ହେତୁରୁ ଇଉରୋପ, ଆମେରିକା ପ୍ରଭୃତି ଦେଶରେ ଯେଉଁଠାରେ ଏହି ଯାନ୍ତ୍ରିକ ମଣ୍ଡ ତିଆରି କରାଯାଏ ସେଠାରେ ଫାର୍, ହେମ୍ଲକ୍, ସ୍ପୁଶ୍‍, ପାଇନ୍ ଜାତୀୟ ଗଛର ନରମା କାଠ ବ୍ୟବହୃତ ହୁଏ । ଶାଳ, ଶିଶୁ, ଓକ୍ ପ୍ରଭୃତି ଟାଣ କାଠାରୁ ସହଜରେ ଏଭଳି ମଣ୍ଡ ତିଆରି ହୋଇପାରେ ନାହିଁ ବୋଲି ସେଗୁଡ଼ିକ ଯାନ୍ତ୍ରିକ ମଣ୍ଡ ପାଇଁ ବ୍ୟବହୃତ ହୁଏନା । ଏହି ମଣ୍ଡରୁ ତିଆରି କାଗଜର ଦାମ୍ ଅନ୍ୟ ଉପାୟରେ ତିଆରି କାଗଜର ଦାମଠାରୁ ଢେର୍ କମ୍ । ତେଣୁ ଏହି କାଗଜ ସାଧାରଣତଃ ଖବରକାଗଜ ଓ କମ୍ ଦାମ୍‍ର ବହି ଛାପିବାରେ ବ୍ୟବହୃତ ହୁଏ । ଏହି ଯାନ୍ତ୍ରିକ ମଣ୍ଡରୁ ଯେଉଁ କାଗଜ ତିଆରି ହୁଏ, ସେ କାଗଜ ସେତେ ସୁନ୍ଦର ଓ ମଜଭୁତ୍ ନୁହେଁ । ଏହା ଅଳ୍ପ ଦିନ ପରେ ବାଦାମୀ ରଙ୍ଗ ଧରିଯାଏ । ଏଥରେ ବହି ଛାପିଲେ ସେ ବହି ଅଳ୍ପ କେତେଦିନ ଭିତରେ ବାଦାମୀ ରଙ୍ଗ ପଡ଼ିଯାଏ ଓ ଶୀଘ୍ର ନଷ୍ଟ ହୋଇଯାଏ । ଏହି ମଣ୍ଡରୁ ଖବରକାଗଜ ଛଡ଼ା ନାଲି, ନେଳୀ, ସବୁଜ ରଙ୍ଗର ପତଳା କାଗଜସବୁ ତିଆରି କରାଯାଏ । ଏହି କାଗଜରେ ଦେବଦେବୀ ମନ୍ଦିର, ଘର ଇତ୍ୟାଦି ପୂଜାପର୍ବ ସମୟରେ ସଜାନ୍ତି, ଦେଖି ନାହିଁ ? ଏହି ଯାନ୍ତ୍ରିକ ମଣ୍ଡ ଶସ୍ତା ପଡ଼େ ବୋଲି ସେଥ୍ ପିଚ୍‍ବୋର୍ଡ଼, କାଗଜପଟା ଇତ୍ୟାଦି ମଧ୍ୟ ତିଆରି କରାଯାଏ ।’’

 

‘ଦ୍ୱିତୀୟ ଉପାୟଟି କ’ଣ ଅଜା ?’’ ରେଣୁ ପଚାରିଲା ।

 

‘ଦ୍ୱିତୀୟ ଉପାୟଟି ରାସାୟନିକ ପଦ୍ଧତି । ଏହି ପଦ୍ଧତିଟି ବଡ଼ ବ୍ୟୟସାପେକ୍ଷ । ତେଣୁ ଏଥିରୁ ତିଆରି ମଣ୍ଡ ଓ କାଗଜ ଯାନ୍ତ୍ରିକମଣ୍ଡ ବା କାଗଜ ଭଳି ଶସ୍ତା ନୁହେଁ । ଯାନ୍ତ୍ରିକମଣ୍ଡରୁ ତିଆରି କାଗଜ ଅପେକ୍ଷା ଏହି ଉପାୟରେ ତିଆରି କାଗଜ ସୁନ୍ଦର ଓ ଶକ୍ତ । ଏହା ଯାନ୍ତ୍ରିକ କାଗଜ ଭଳି ଅଳ୍ପ କେତେ ଦିନ ଭିତରେ ବାଦାମୀ ରଙ୍ଗ ହୋଇଯାଏ ନାହିଁ । ଏହି ଉପାୟରେ ମଣ୍ଡ ତିଆରି କରିବାକୁ ହେଲେ ପ୍ରଥମେ କାଠ, କୁଟା, ବାଉଁଶ, ଘାସ, ଆଖୁସିଠା ଆଦି କଞ୍ଚାମାଲକୁ ଖଣ୍ଡ ଖଣ୍ଡ କରି ଗୋଟିଏ ବଡ଼ ପାତ୍ରରେ ରଖନ୍ତି । ଏହି ପାତ୍ରରେ ପାଣି ଦେଇ ସେଥିରେ • ସୋଡ଼ାକ୍ଷାର କିମ୍ବା ସଲ୍‍ଫାଇଟ୍ ଲବଣ ପ୍ରଭୃତି କେତେକ ରାସାୟନିକ ପଦାର୍ଥ ଦେଇ ପାତ୍ରର ମୁହଁ ବନ୍ଦ କରି ଦିଆଯାଏ । ତତ୍ପରେ ସେହି ପାତ୍ରକୁ ଗରମ କଲେ ତାହା ଭିତରେ ଜଳୀୟ ବାଷ୍ପର ଚାପ ବଢ଼ିବାକୁ ଲାଗେ । ଚାପ ଓ ଉତ୍ତାପ ଯଥେଷ୍ଟ ବଢ଼ିଲା ପର୍ଯ୍ୟନ୍ତ ପାତ୍ରକୁ ଗରମ କରାଯାଏ । ଉଚ୍ଚ ଉତ୍ତାପ ଓ ଚାପରେ ତାହା ଭିତରେ ଥିବା କାଠ, କୁଟା, ଘାସ ଆଦି ତନ୍ତୁଜାତୀୟ ପଦାର୍ଥ ସିଝିଯାଇ ନରମ ହୋଇଯାଏ ଏବଂ ସେଥର ତନ୍ତୁଗୁଡ଼ିକ ପଦାକୁ ବାହାରି ଆସେ । କାଠ, କୁଟା, ବାଉଁଶ ଆଦି ଜିନିଷରେ ତନ୍ତୁଗୁଡ଼ିକ ଏକ ପ୍ରକାର ଅଠାଳିଆ ଜିନିଷଦ୍ଵାରା ପରସ୍ପର ସହିତ ଲାଖି ଟାଣ ଧରିଯାଏ-

Image

(ରାସାୟନିକ ଉପାୟରେ କାଗଜ ମଣ୍ଡ ତିଆରି ପାଇଁ ପାତ୍ର)

 

ସୋଡ଼ାକ୍ଷାର ବା ସଲ୍‍ଫାଇଟ୍ ଲବଣ ଆଦି ରାସାୟନିକ ପଦାର୍ଥର ଏପରି ଶକ୍ତି ଅଛି, ଯାହାଦ୍ୱାରା ସେଗୁଡ଼ିକ ସେହି ଅଠାଳିଆ ଜିନିଷଗୁଡ଼ିକୁ ମିଳେଇ ଦେଇ ବାହାର କରି ଆଣେ । ଏହି ଯେଉଁ ତନ୍ତୁସବୁ ବାହାରି ଆସେ, ସେଗୁଡ଼ିକ ହାତକୁ ତୂଳାଭଳି ନରମ ଲାଗେ । ତତ୍ପରେ ତନ୍ତୁଗୁଡ଼ିକୁ ଛାଙ୍କି ନିଆଯାଏ ଓ ସେଗୁଡ଼ିକୁ ଏଭଳି ଭାବରେ ଧୋଇ ଦିଆଯାଏ, ଯେପରିକି ତନ୍ତୁରେ କ୍ଷାର ଆଦି କିଛି ଲାଗିବ ନାହିଁ-।”

 

‘ତନ୍ତୁଗୁଡ଼ିକୁ ଭଲ ଭାବରେ ନ ଧୋଇଲେ କ୍ଷତି କଣ ଅଜା ?’’ ରେଣୁ ପଚାରିଲା ।

 

‘‘ନା, ମା, ତନ୍ତୁରେ ଅଧିକ କ୍ଷାର ଲାଗିଲେ ଅଳ୍ପ ଦିନ ଭିତରେ ତନ୍ତୁର ବଳ କମିଯାଏ, ଫଳରେ କାଗଜ ଶୀଘ୍ର ଖରାପ ହୋଇଯାଏ ।’’ ‘‘ଏହି ତନ୍ତୁଗୁଡ଼ିକ କଣ ସିଧାସଳଖ ଏଠାରୁ କାଗଜ ପାଇଁ ଯାଏ ଅଜା ?’’ କୁମାର ପଚାରିଲା ।

Image

(ତନ୍ତୁଗୁଡ଼ିକୁ ବାହାର କରୁଥିବା ଯନ୍ତ୍ର)

 

‘‘ନା, ବାବା, ଏହି ଯେଉଁ ତନ୍ତୁଗୁଡ଼ିକ ବାହାରେ, ସେଗୁଡ଼ିକ ସିଧାସଳଖ କାଗଜ ତିଆରି ପାଇଁ ଯାଏ ନାହିଁ; କାରଣ ଏଥିରେ ଥିବା ତନ୍ତୁଗୁଡ଼ିକ ଅପେକ୍ଷାକୃତ ଲମ୍ବା ଥାଏ । ଏଥିରୁ ଭଲ କାଗଜ ତିଆରି ହୋଇପାରେ ନାହିଁ । ତେଣୁ ଏହି ତନ୍ତୁଗୁଡ଼ିକୁ ଛେଚି ସେଗୁଡ଼ିକୁ ଆହୁରି ଛୋଟ ଛୋଟ କରାଯାଏ । ତନ୍ତୁଗୁଡ଼ିକ ଭଲ ଭାବରେ ଛେଚା ହୋଇଗଲେ କାଗଜମଣ୍ଡ ଭଳି ହୋଇଯାଏ । ଏହି କାଗଜମଣ୍ଡରେ କାଳେ ବଡ଼ ବଡ଼ ଅଛେଟା ତନ୍ତୁ ରହିଯାଇଥବ, ଏଥିପାଇଁ ଏହାକୁ ଭଲଭାବରେ ଛାଣିବାକୁ ହୁଏ । ଏହି ମଣ୍ଡରେ ଆଉ ଗୋଟିଏ ଦୋଷ ଥାଏ, ଏହା ଦେଖିବାକୁ ଖୁବ୍ ଧଳା ନୁହେଁ । ଏଥିରେ ସାମାନ୍ୟ ବାଦାମୀ ବା ମାଟିଆ ରଙ୍ଗ ରହି ଯାଇଥାଏ । ଏହି ମଣ୍ଡକୁ ସଫା ନ କରି ସେଥିରୁ କାଗଜ ତିଆରି କଲେ କାଗଜ ମାଟିଆ ହୁଏ । ବଜାରରେ ଯେଉଁ ବାଲି କାଗଜ ମିଳେ,ତାହା ସଫା ହୋଇ ନଥିବା ମଣ୍ଡରୁ ସାଧାରଣତଃ ତିଆରି ହୁଏ ।’’

 

କାଗଜମଣ୍ଡକୁ ତାହେଲେ କିପରି ଧଳା କରାଯାଏ ଅଜା ?’’

 

ରେଣୁ ପଚାରିଲା ।

 

‘କ୍ଲୋରିନ୍ ନାମକ ଏକପ୍ରକାର କଡ଼ା ଗ୍ୟାସ୍ ବା କ୍ଲୋରିନ୍ ଜଳକୁ ଏହି ମଣ୍ଡରେ ମିଶାଇଲେ ମଣ୍ଡ ଧଳା ହୋଇଯାଏ । ଏହାଦ୍ଵାରା ମଣ୍ଡ ସଙ୍ଗେ ସଙ୍ଗେ ଧଳା ହୋଇଯାଏ ନାହିଁ । ମଣ୍ଡ ଧଳା ହେବା ପର୍ଯ୍ୟନ୍ତ ତହିଁରେ ଥରକୁ ଥର କ୍ଲୋରିନ୍ ଜଳ ବା ଗ୍ୟାସ୍ ଦେଇ ଗୋଟିଏ ପାତ୍ରରେ ବନ୍ଦ କରି ଗରମ କରିବାକୁ ପଡ଼େ । ଯାନ୍ତ୍ରିକ ମଣ୍ଡକୁ ମଧ୍ୟ ଏହି ଉପାୟରେ ଧଳା କରାଯାଏ । ଏହି ମଣ୍ଡ ଯେତେବେଳେ କଇଁଫୁଲ ଭଳି ଧଳା ହୋଇଯାଏ, ସେତେବେଳେ ତାକୁ ଛାଙ୍କି କାଗଜ ତିଆରି ପାଇଁ ପଠାଯାଏ ।’’

 

‘ତୁମେ ଯେଉଁ ପୂରକ କଥା ସେତେବେଳେ କହୁଥିଲ, ସେଗୁଡ଼ିକ କେତେବେଳେ ମିଶାଯାଏ ଅଜା ?’’

 

‘‘ଆରେ, ସତେ ତ ଭୁଲି ଯାଉଥିଲି । ବର୍ତ୍ତମାନ ଯେଉଁ ମଣ୍ଡ ସଫା ହୁଏ, ସେଥିରେ ଧଳା ଚୀନାମାଟି, ଟେଲ୍‍କମ୍‍ ଚୂର୍ଣ, ଫୁଲଖଡ଼ି, ଟିଟାନିୟମ୍ ଅକ୍ସାଇଡ୍ ପ୍ରଭୃତି କେତେକ ପୂରକ ମିଶାଯାଏ-। ଏହି ପୂରକଗୁଡ଼ିକ ଲବଣ ମଧ୍ୟରେ ଗଣ୍ୟ । ଏଗୁଡ଼ିକୁ ପାଣିରେ ଗୋଳାଇ ମଣ୍ଡ ସହିତ ମିଶାଇବାକୁ ହୁଏ । ପ୍ରାୟ ଶହେ ମହଣ ଶୁଖିଲା ମଣ୍ଡରେ ହାରାହାରି ପାଞ୍ଚ ମହଣରୁ ଚାଳିଶ ମହଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପୂରକ ମିଶାଇବାକୁ ପଡ଼େ ।’’

 

‘‘ଅଜା, ଏ ପୂରକଗୁଡ଼ିକ ତ ଖୁବ୍ ଧଳା ହୋଇଥିବ ?’’ କୁମାର ପଚାରିଲା ।

 

‘‘ହଁ ବାବା, ଏଗୁଡ଼ିକ ମଧ୍ୟ ଖୁବ୍ ଧଳା ହୋଇଥାଏ । ପୂରକର ଯଦି କିଛି ସାମାନ୍ୟ ରଙ୍ଗ ଥାଏ, ତେବେ ସେ ରଙ୍ଗ କାଗଜମଧ୍ୟକୁ ଯାଇ କାଗଜର ଧଳା ରଙ୍ଗକୁ ନଷ୍ଟ କରିଦିଏ । ତେଣୁ ଏହି ପୂରକ ମିଶାଇଲାବେଳେ ତାକୁ ଭଲ ଭାବରେ ପରୀକ୍ଷା କରି ମିଶାଇବାକୁ ପଡ଼େ । ପୂରକ ଦିଆଗଲେ କାଗକ ଦେଖିବାକୁ ସୁନ୍ଦର ଓ ଟାଣ ହୁଏ, ଛାପିଲାବେଳେ ବା ଲେଖିଲାବେଳେ କାଳି ଛପିଯାଏ ନାହିଁ । ଗୋଟିଏ ପାଖର ଲେଖା ଆର ପାଖକୁ ଦିଶେ ନାହିଁ । ଛାପା କାଗଜ ଓ ଛଣା କାଗଜ ଭଳି ଏଥରେ କାଳି ଛପିଯାଏ ନାହିଁ । ଛାପା କାଗଜରେ ଏହି ପୂରକ ଆଦି ଦିଆ ନ ହୋଇଥିବାରୁ ଏହା କାଳିର ସଂସ୍ପର୍ଶରେ ଆସିଲେ ସଙ୍ଗେ ସଙ୍ଗେ କାଳିକୁ ଶୋଷିନିଏ ।’’

 

‘କାଗଜକୁ କିପରି ରଙ୍ଗ କରାଯାଏ ଅଜା ? ଧଳା କାଗଜକୁ କଣ ରଙ୍ଗପାଣିରେ ବୁଡ଼ାଇ ରଙ୍ଗ କରନ୍ତି ?’’ ରେଣୁ ପଚାରିଲା ।

 

‘‘ଦୁର୍ ପାଗଳି, କାଗଜକୁ କ’ଣ ସେଭଳି ରଙ୍ଗ କରାଯାଏ ? କାଗଜକୁ ଯେଉଁ ରଙ୍ଗ କରିବା ଦରକାର, ସେହି ରଙ୍ଗକୁ ପାଣିରେ ଗୋଳାଇ କାଗଜମଣ୍ଡରେ ମିଶାନ୍ତି । ଏହା ଫଳରେ କାଗଜମଣ୍ଡ ସେହି ରଙ୍ଗ ଧାରଣ କରେ । ଏହି ରଙ୍ଗିନ୍ ମଣ୍ଡରୁ ରଙ୍ଗିନ୍ କାଗଜ ତିଆରି ହୁଏ । ଆଲକାତରାରୁ ତିଆରି ନାଲି, ନୀଳ, ସବୁଜ କେତେ ପ୍ରକାର ରଙ୍ଗ ମିଶାଇ ଏହି ରଙ୍ଗିନ୍ କାଗଜ ତିଆରି କରାଯାଏ ।’

 

‘ଆଲକାତରା ? ଓଃ, ସେହି ଯେଉଁ କଳା ବହଳିଆ ଜିନିଷ କାଠଖୁଣ୍ଟ, ଦୁଆରବନ୍ଧ ଆଦିରେ ଦିଅନ୍ତି, ସେହି ଆଲକାତରାରୁ କଣ ନାଲି, ନୀଳ, ସବୁଜ ରଙ୍ଗ ତିଆରି ହୁଏ ?’’ ବଡ଼ ଆଶ୍ଚର୍ଯ୍ୟ ହୋଇ ପଚାରିଲା କୁମାର ।

 

‘‘ହଁ, ସେହି ଆଲକାତରା । ଖାଲି ନାଲି, ନୀଳ, ସବୁଜ ରଙ୍ଗ କାହିଁକି, ଶହ ଶହ ପ୍ରକାର ଔଷଧ, କେତେ ପ୍ରକାର ପ୍ଲାସଟିକ୍‍ସ ଜିନିଷ, ବିଲାତି ଚିନି, ପାହାଡ଼ ପର୍ବତ ଫଟାଇବା ବାଣ ଆଦି କେତେ ଜାତିକା ଜିନିଷ ଏଥ ତିଆରି ହୁଏ ।’’

 

“ଏ ତ ବଡ଼ ଆଶ୍ଚର୍ଯ୍ୟ କଥା ଅଜା ! ମୋ ମନକୁ ତ କାହିଁକି ମୋଟେ ପାଉନି । ଏସବୁ ସତ କଥା ନା ?’’ ରେଣୁ ପଚାରିଲା ।

 

‘ହଁ, ଲୋ ମା, ମୁଁ କଣ ଆଉ ମିଛ କହୁଛି ? ଆଲକାତରାରୁ ଆହୁରି ଯେତେ ଜିନିଷ ତିଆରି ହୁଏ, ଶୁଣିଲେ ଆଶ୍ଚର୍ଯ୍ୟ ହେବ ।’’

 

‘‘କାଲି ଆମକୁ ଆଲକାତରା ବିଷୟରେ କହିବ ଅଜା ! ହଁ, ହଁ, ନିଶ୍ଚେ କହିବ ।’’ ରେଣୁ ପାଟି କରି ଉଠିଲା ।

 

‘‘ଅଜା, ଖବରକାଗଜ ଉପରେ ଟୋପାଏ ପାଣି ପଡ଼ିଲେ, ପାଣି ପଡ଼ିବା ସ୍ଥାନଟି ଖୁବ୍ ନରମ ହୋଇଯାଏ କାହିଁକି ? ଟିକିଏ ହାତ ମାରିଦେଲେ ସେ ସ୍ଥାନଟି ଛିଡ଼ିଯାଏ; କିନ୍ତୁ ଆମ ବହିରେ ପାଣି ପଡ଼ିଲେ ତ ଏତେ ନରମ ହୁଏନି ?’’ କୁମାର ପଚାରିଲା ।

 

‘‘ବାଃ, ଠିକ୍ ଲକ୍ଷ୍ୟ କରିଛୁ ବାବା ! ବହି କାଗଜରେ ପାଣି ପଡ଼ିଲେ ତାହା ନରମ ହୋଇ ନ ଯିବାପାଇଁ ଏଥରେ ଝୁଣା, ମହମ, ମଇଦା, ଶିରୀଷ ଅଠା, ଦୁଧଛେନା ଆଦି କେତେ ଜିନିଷ ମିଶା ଯାଇଥାଏ । କାଗଜକୁ ଇସ୍ତ୍ରୀ କଲାବେଳେ ଏହିସବୁ ପଦାର୍ଥ ଯୋଗୁଁ ତାହା ଖୁବ୍ ପାଲିସ ଓ ଟାଣ ହୁଏ । ପାଣି ପଡ଼ିଲେ ସହଜରେ ତା ଭିତରକୁ ଭେଦି ଯାଏନି । ସାଧାରଣ ବହି ବା ଲେଖାଲେଖି କାଗଜରେ ଏହା ଶତକକଡ଼ା ଦୁଇରୁ ତିନି ଭାଗ ପର୍ଯ୍ୟନ୍ତ ମିଶା ଯାଇଥାଏ । ଖବରକାଗଜରେ ଏହା ମିଶା ହୋଇ ନ ଥିବାରୁ କିମ୍ବା ଯଦି ମିଶା ଯାଇଥାଏ ତେବେ ଖୁବ୍ କମ୍ ପରିମାଣରେ ମିଶା ଯାଇଥିବାରୁ ଖବରକାଗଜ ସେତେ ପାଲିସ ବା ଟାଣ ହୁଏନି; ତେଣୁ ଏଥରେ ଟୋପାଏ ପାଣି ପଡ଼ିଲେ ପାଣି ପଡ଼ିବା ସ୍ଥାନଟି ଅତ୍ୟଧିକ ନରମ ହୋଇ ଛିଡ଼ିଯାଏ ।’’

 

‘ଏହିସବୁ ଜିନିଷ ଗୋଟାକ ପରେ ଗୋଟାଏ ମିଶାଯାଏ କିପରି ଅଜା ? କାଗଜକଳରେ ଲୋକମାନେ ଏଗୁଡ଼ିକୁ କଣ ହାତରେ ବସି ମିଶାଉଥାନ୍ତି ?’’ ରେଣୁ ପଚାରିଲା ।

 

‘‘ନା, ମା, ଆରମ୍ଭରୁ ଏପର୍ଯ୍ୟନ୍ତ କୌଣସି କାମକୁ ଲୋକମାନେ ହାତରେ କରନ୍ତିନି । କାଗଜମଣ୍ଡ ତିଆରିଠାରୁ ଆରମ୍ଭ କରି ମଣ୍ଡକୁ ଛେଚିବା, ଛାଣିବା, ସଫାଇବା, ରଙ୍ଗ କରିବା, ପୂରକ ମିଶାଇବା ଆଦି ଯାବତୀୟ କାମ ହାତରେ କରା ନ ହୋଇ ଛୋଟ ବଡ଼ କେତେ ପ୍ରକାର ଯନ୍ତ୍ର ସାହାଯ୍ୟରେ କରାଯାଏ । ଥରଥରକେ ହଜାର ହଜାର ମହଣ ମଣ୍ଡ ବ୍ୟବହୃତ ହେଉଥିବାରୁ ଏଗୁଡ଼ିକୁ ହାତରେ କରିବା କଣ ସମ୍ଭବପର ?’’

 

‘‘କାଗଜ ତିଆରି ହୁଏ କେତେବେଳେ ଅଜା ?’’ ରେଣୁ ପଚାରିଲା !

 

‘‘କାଗଜ ମଣ୍ଡରେ ଯାହାସବୁ ମିଶାଯିବା କଥା ସେସବୁ ମିଶା ସରିଗଲେ ମଣ୍ଡ କାଗଜ ତିଆରି ପାଇଁ ଯାଏ । ମଣ୍ଡରୁ କାଗଜ ତିଆରି କରିବା କାରକୁ ମଧ୍ୟ କେହି ହାତରେ କରେନି ! ଆଜିକାଲି ବିଭିନ୍ନ କାରଖାନାରେ କେତେ ପ୍ରକାର ମେସିନ୍ ଏହି କାଗଜ ତିଆରି କରୁଛି । ଯେଉଁସବୁ ମେସିନ୍ କାଗଜ ତିଆରି କରେ, ସେଥିମଧ୍ୟରୁ ଫୋରଡ୍ରିନର୍ ନାମକ ଏକ ମେସିନ୍‍ର ବ୍ୟବହାର ସବୁଠୁଁ ବେଶି । ଏହି ଯନ୍ତ୍ରଟି ଏପରି ଯେ, ଏହା ସାହାଯ୍ୟରେ ମଣ୍ଡଗୋଳ ପାଣିରୁ କାଗଜ ତିଆରି ହୋଇ, ଶୁଖା ହୋଇ, ଇସ୍ତ୍ରି ହୋଇ ବାହାରିଯାଏ । ଏହି ଯନ୍ତ୍ରର ଗୋଟିଏ ପାଖରେ ପାଣିଗୋଳା କାଗଜମଣ୍ଡ ଦିଆଯାଏ ଏକ ଅନ୍ୟ ପାଖରେ ଶହ ଶହ ଫୁଟ ଲମ୍ବା ଶୁଖିଲା କାଗଜ ମନକୁ ବାହାରିଯାଏ ।’’

 

‘ମେସିନ୍ କିପରି କାଗଜ ତିଆରି କରେ ଅଜା ? ମେସିନ୍ ନୁହେଁ !’’ ରେଣୁ ପଚାରିଲା ।

 

‘ମେସିନ୍ ମଣିଷ ନ ହେଲେ କ’ଣ ହେଲା ମା, ହଜାର ହଜାର ଯାହା ଘଣ୍ଟାକୁ କରିପାରିବେନି, ଏହି ମେସିନ୍ ତାକୁ କରିଦିଏ ।’’

 

‘ମେସିନ୍ ଏସବୁ କେମିତି କରେ, ଆମକୁ କୁହ ଅଜା !’’ କୁମାର ପଚାରିଲା ।

 

‘‘ଆରେ, ତୁମେମାନେ ପ୍ରକୃତ ମେସିନର କାମ ନ ଦେଖିଲେ କଣ ବୁଝିପାରିବ ?’’ ଆସନ୍ତା ଗ୍ରୀଷ୍ମ ଛୁଟିରେ ମୁଁ ତୁମକୁ ସମ୍ବଲପୁରର କାଗଜକଳ ଦେଖାଇବାକୁ ନେଇଯିବି । ସେତେବେଳେ ଦେଖିବ, ମେସିନ୍ କିପରି ମନକୁ ମନ ହଜାର ହଜାର ଫୁଟ କାଗଜ ଆଖିପିଛୁଳାକେ ତିଆରି କରିପକାଉଛି । ଏହି ମେସିନ୍ କିପରି ମୋଟାମୋଟି ଭାବରେ କାମ କରେ ଶୁଣ ।

Image

‘ଏହି ମେସିନ୍ ପ୍ରଥମ ମୁଣ୍ଡରେ କାଗଜ ମଣ୍ଡ ଓ ପାଣି ବଡ଼ ବଡ଼ ଭାଣ୍ଡରେ ଗୋଳା ହେଉଥାଏ । ଏହି ଭାଣ୍ଡ ଭିତରେ ଏକପ୍ରକାର ଯନ୍ତ୍ର ପଶି ବାହାରି ଆସିଲା ବେଳକୁ ତା ଉପରେ କାଗଜମଣ୍ଡର ଏକ ପାତଳା ସ୍ତର ପଡ଼ିଯାଏ । ଏହି ଯନ୍ତ୍ରଟି ସରୁ ତାରଯୁକ୍ତ ଏକ ପ୍ରକାର ଲୁହାଜାଲି ! ବର୍ତ୍ତମାନ ଏହି ଯେଉଁ ପାତଳା କାଗଜ ସ୍ତରଟି ହେଲା, ତା’ ଉପରେ ଏକପ୍ରକାର ରୋଲର୍ ଗଡ଼ାଇନେଇ କାଗଜରୁ କେତେକ ପାଣି କାଢ଼ି ନିଆଯାଏ ତା’ପରେ ଏହି ଓଦା କାଗଜକୁ ଖୁବ୍ ସାବଧାନତା ସହକାରେ ଏକପ୍ରକାର ପଶମ କମ୍ବଳ ଉପରକୁ ନିଆଯାଏ । କାଗଜର ଏହି ନେବା ଆଣିବା ଆପେ ଆପେ ହୋଇଯାଉଥାଏ । କମ୍ବଳ ଉପରେ କାଗଜ ରହି ତା’ ଉପରେ ଆଉ ଦି’ଟା ରୋଲର୍ ଚାଲୁଥାଏ; ଫଳରେ କାଗଜରୁ ଅଧିକାଂଶ ପାଣି ଏହି କମ୍ବଳ ଟାଣି ନିଏ ଓ କାଗଜରେ ଥିବା ଛୋଟ ଛୋଟ ତନ୍ତୁଗୁଡ଼ିକ ପରସ୍ପରକୁ ଜାକି ଧରନ୍ତି । କାଗଜରୁ ପାଣି କମିଯିବାରୁ କାଗଜ ଟାଣ ହୋଇଯାଏ । ତତ୍ପରେ କାଗଜ ଶୁଖା ହେବା ପାଇଁ ଘୂରୁଥିବା ଏକପ୍ରକାର ଫମ୍ଫା ଲୁହା ସିଲେଣ୍ଡର ଉପରକୁ ଯାଏ । ଏହି ଲୁହା ସିଲେଣ୍ଡରଟି ବାମ୍ଫଦ୍ୱାରା ଗରମ ହେଉଥାଏ । ଗୋଟିକ ପରେ ଗୋଟିଏ କେତେଗୁଡ଼ିଏ ସିଲେଣ୍ଡର ଉପରେ କାଗଜ ଚାଲିଯିବା ଫଳରେ କାଗଜ ଶୁଖିଯାଏ-। ଏହି ଯେଉଁ ଶୁଖିଲା କାଗଜ ହେଲା, ତା ବେଶି ପାଲିସ୍ ନୁହେଁ । ଏହାକୁ ପାଲିସ୍ କରିବା ପାଇଁ ଧୋବାମାନଙ୍କ ଭଳି ଇସ୍ତ୍ରି କରିବାକୁ ପଡ଼େ । ଗରମ ଲୁହା ଇସ୍ତ୍ରିକୁ ଲୁଗା ଉପରେ ଚଲାଇ ଆଣିଲେ ଯେପରି ଲୁଗାର ଉପର ପାଲିସ୍ ହୋଇଯାଏ, ଏ ଠିକ୍ ସେହିଭଳି ।

Image

(କାଗଜ କାରଖାନା)

 

କାଗଜକୁ ଇସ୍ତ୍ରି କରିବା ପାଇଁ ସାତ ଆଠଟା ଗରମ ଲୁହା ରୋଲର ଗୋଟାକ ପରେ ଗୋଟାଏ ଚଳାଯାଏ । ଏକ ପ୍ରକାର ଅଦ୍ଭୁତ ଯନ୍ତ୍ର ସାହାଯ୍ୟରେ ଏହି କାମଟି ହୋଇଥାଏ । ଇସ୍ତ୍ରି କଲାବେଳେ ଧୋବାମାନଙ୍କ ଭଳି ସେଥିରେ ବେଳେ ବେଳେ ପାଣି ସିଞ୍ଚିବାକୁ ପଡ଼େ । ତିଆରି ହେଲାବେଳେ କାଗଜ ସାଧାରଣତଃ ଶହ ଶହ ଫୁଟ ଲମ୍ବା ହୋଇଥାଏ । ଇସ୍ତ୍ରି ସରିଗଲେ ଏହା ଆପେ ଆପେ ଗୁଡ଼ାଇ ହୋଇଯାଏ । ପରେ ଆଉ ଏକ ଯନ୍ତ୍ର ଏହି ଶହ ଶହ ମିଟର ଲମ୍ବା କାଗଜକୁ ବିଭିନ୍ନ ଆକାରରେ କାଟି ରିମ୍ ରିମ୍ କରି ଦିଏ-। ଏହି ସବୁ ରିମ୍ ବଜାରକୁ ବିକ୍ରୟ ପାଇଁ ଆସିଥାଏ-। ମେସିନ୍ ସବୁ କାମ ମନକୁ ମନ ଏତେ ଶୀଘ୍ର ଓ ଏପରି ଶୃଙ୍ଖଳ ଭାବରେ କରିଯାଏ ଯେ, ନ ଦେଖିଲା ମଣିଷ ଦେଖିଲେ ଘଡ଼ିଏ କାଳ ନ ଅନାଇ ରହିପାରିବ ନାହିଁ ।’’

 

‘ତାହେଲେ ଅଜା, ଏହି ମେସିନ୍ ପାଖରେ ତ କେହି ଲୋକ ରହୁ ନ ଥବେ ?’’ ରେଣୁ ପଚାରିଲା ।

 

‘ନା, ମା, କାଗଜକଳରେ ମେସିନ୍ ଢେର୍ କାମ କଲେ କ’ଣ ହେଲା, ଅନେକ ସ୍ଥାନରେ ମଣିଷର ଦରକାର ପଡ଼େ । କାଗଜକଳର ବିଭିନ୍ନ ସ୍ଥାନରେ ଲୋକମାନେ ମେସିନ୍‍କୁ ଜଗିଥାନ୍ତି । ମେସିନ୍ ବେଳେବେଳେ ଯଦି ଖରାପ ହୋଇଯାଏ ଓ ଭୁଲ ବାଟରେ ଯିବାକୁ ଆରମ୍ଭ କରେ, ତେବେ ଲୋକମାନେ ତାକୁ ସଜାଡ଼ିଦିଅନ୍ତି । କାଗଜକଳରେ କଞ୍ଚାମାଲ ପୂରାଇଲାବେଳେ ଓ ବିଭିନ୍ନ ଜିନିଷକୁ ସେଠାରୁ ଏଠାକୁ ନେବା ଆଣିବା କଲାବେଳେ ବହୁ ଲୋକର ସାହାଯ୍ୟ ଦରକାର ପଡ଼େ-।’’

 

*‘କାଗଜରେ ଯେଉଁ ପାଣିଛାପା ଥାଏ; ତାହା କାଗଜ ଉପରକୁ କିପରି ଆସେ, ସେ କଥା ତ କହିଲନି ଅଜା ?’’ –କୁମାର ପଚାରିଲା ।

 

‘‘ଠିକ୍ ହେଜେଇ ଦେଇଛୁରେ କୁମାର । ମୋର ସେ କଥା କହିବାକୁ ମୋଟେ ମନେ ନ ଥିଲା । ମୁଁ ତ କାଗଜର ପାଣିଛାପା କଥା ବିଲ୍‍କୁଲ୍‍ ଭୁଲି ଯାଇଥିଲି । କାଗଜ ତିଆରିବେଳେ ତାରଜାଲି ଉପରେ କାଗଜ ଛଣାଯାଇ ତା’ଉପରେ ରୋଲର୍ ଯେତେବେଳେ ଚଲାଯାଏ, ଠିକ୍ ସେତିକିବେଳେ କାଗଜ ଉପରକୁ ପାଣିଛାପା ଅଣାଯାଏ । ଲୁହା ରୋଲରରେ ନାନାପ୍ରକାର ଚିତ୍ର ଓ ଅକ୍ଷର ଅଙ୍କାଯାଇ ସେହି ରୋଲରକୁ ଓଦା କାଗଜ ଉପରେ ଚଳାଇନେଲେ ରୋଲରରେ ଥିବା ଚିତ୍ର ଅନୁଯାୟୀ କାଗଜ ଉପରେ ଚାପି ହୋଇଯାଏ । ଫଳରେ କାଗଜ ଉପରେ ଏକପ୍ରକାର ଚିତ୍ରର ଛାପା ପଡ଼ିଯାଏ । କାରକ ଶୁଖିଗଲେ, ଏହି ଚିତ୍ର ଭଲ ଦେଖାଯାଏ । କାଗଜକୁ ଆଲୁଅ ଆଡ଼କୁ ଧରି ଅନାଇଲେ ଏହି ପାଣିଛାପ ଦିଶେ। ଆମ ଦେଶରେ ଚାଲୁଥିବା ବିଭିନ୍ନ ପ୍ରକାର ନୋଟମାନଙ୍କରେ ପାଣିଛାପା ଠିକ୍ ସେହି ଉପାୟରେ ଦିଆଯାଏ ।’

 

‘‘ନୋସବୁ କେଉଁ କାଗଜରୁ ଛାପାଯାଏ ଅଜା ? ନୋଟ୍ କାଗଜ ତ ନୂଆବେଳେ ଖୁବ୍ ଟାଣ ଥାଏ । ଆମ ଲେଖିବା କାଗଜ ବା ବହି କାଗଜଠାରୁ ତ ଢେର୍ ଶକ୍ତ ଓ ସୁନ୍ଦର ?’’ ରେଣୁ ପଚାରିଲା ।

 

‘‘ହଁ, ଅଜା, ନୋଟ୍ କାଗଜ ନୂଆବେଳେ କେତେ ସଫା ଦେଖାଯାଏ । ସେ କାଗଜ ଏତେ ଟାଣ ହେଲା କିପରି ?’’ କୁମାର ପଚାରିଲା ।

 

‘‘ହଁ, ଯେଉଁ କାଗଜରୁ ଏହି ନୋଟସବୁ ଛାପାଯାଏ, ସେଗୁଡ଼ିକ ଅଲଗା କାଗଜ–ଆମ ବହି କିମ୍ବା ଲେଖା କାଗଜ ନୁହେଁ । ନୋଟ୍‍ପାଇଁ କାଗଜ ସାଧାରଣତଃ ତିଆରି ହୁଏ ତୂଳା, ଛିଣ୍ଡାକନା କିମ୍ବା ଖୁବ୍ ଭଲ ଧରଣର କାଠମଣ୍ଡରୁ। ଏହିସବୁ ମଣ୍ଡର ତନ୍ତୁଗୁଡ଼ିକ ଟାଣ, ସରୁ ଓ ଅପେକ୍ଷାକୃତ ଲମ୍ବା । ଏଗୁଡ଼ିକ ଖୁବ୍ ଭଲ ଭାବରେ ନିଜକୁ ଟାଣିଧରି ଶକ୍ତ କାଗଜରେ ପରିଣତ ହୁଅନ୍ତି । ପୁଣି ଏ କାଗଜକୁ ସୁନ୍ଦର ଓ ଟାଣ କରିବାପାଇଁ ସେଥିରେ ଯଥେଷ୍ଟ ପରିମାଣରେ ଟିଟାନିୟମ୍ ଅକ୍ସାଇଡ୍ ପ୍ରଭୃତି ଭଲ ଭଲ ଦୂରକ ମିଶାଯାଏ । ସେସବୁ କାଗଜ ତିଆରିବେଳେ ଖୁବ୍ ସାବଧାନ ହେବାକୁ ପଡ଼େ । ଏହିସବୁ କାରଣରୁ ସେ କାଗଜ ଖୁବ୍ ସୁନ୍ଦର ହୋଇଥାଏ ।’’

 

“ଅଜା, ବାପା ଯେଉଁ ବହି ବିଲାତରୁ ଆଣିଥିଲେ, ସେ ବହିର କାଗଜ କାହିଁକି ଖୁବ୍ ପାଲିସ ଓ ସୁନ୍ଦର ଦେଖା ଯାଉଥିଲା ? ଆମ ବହିର କାଗଜ କାହିଁକି ମୋଟେ ପାଲିସ କି ସୁନ୍ଦର ଦେଖାଯାଉନି ?’’ –ରେଣୁ ପଚାରିଲା ।

 

ସେସବୁ ବହି ପାଲିସ କାଗଜରୁ ତିଆରି ହୁଏ ମା !’’

 

‘‘ପାଲିସକାଗଜ କିପରି ତିଆରି ହୁଏ ଅଜା ?’’ –ରେଣୁ ପଚାରିଲା ।

 

‘ସାଧାରଣ ବହି କାଗଜ ଉପରେ ଚକ୍‍ଖଡ଼ି, ପାଉଡ଼ର, ଟିଟାନିୟମ୍ ଅକ୍ସାଇଡ୍ ସହିତ ଛେନା, ଚୂର୍ଣ୍ଣ ବା ଅଠାକୁ ଗୋଳାଇ ଲେପି ଶୁଖାଇ ଦିଅନ୍ତି ।

 

ତତ୍ପରେ ଏହା ଉପରେ ଗରମ ଲୁହା ରୋଲର୍ ଦୁଇ ଚାରିଥର ଚଲାଇ ଇସ୍ତ୍ରି କରିଦେଲେ କାଗଜ ଖୁବ୍ ପାଲିସ ହୋଇଯାଏ ଓ ସୁନ୍ଦର ଦିଶେ । ବିଲାତ ପ୍ରଭୃତି ଦେଶର ପିଲାମାନଙ୍କ ବହି ଏହିଭଳି ପାଲିସ ଓ ସୁନ୍ଦର କାଗଜରେ ତିଆରି ହୁଏ । ଏଭଳି ବହି ତୁମମାନଙ୍କୁ ପଢ଼ିବାକୁ ଖୁବ୍ ଭଲ ଲାଗେ, ନୁହେଁ ?’’

 

‘‘ହଁ, ଅଜା, ସେଭଳି କାଗଜରୁ ଆମ ବହିସବୁ ତିଆରି ହେଉନି କାହିଁକି ? ସେଭଳି କାଗଜରେ ବହି ହେଲେ ପଢ଼ିବାକୁ ଖୁବ୍ ଭଲ ଲାଗନ୍ତା ।’’ –ରେଣୁ କହିଲା ।

 

“ଏଭଳି କାଗଜର ଦାମ୍ ଢେର ବେଶି । ଏଥରେ ବହି ତିଆରି ହେଲେ ବହିର ଦାମ୍ ବଢ଼ିଯିବ । ଆମ ଦେଶର ଗରିବ ଲୋକମାନେ ଏ ବହିକୁ କିଣି ସେମାନଙ୍କ ପିଲାମାନଙ୍କୁ ଦେଇପାରିବେ ନାହିଁ । ତେଣୁ ଆମ ଦେଶର ବହି ସେସବୁ ପାଲିସ ଓ ସୁନ୍ଦର କାଗଜରୁ ତିଆରି ହୋଇ ପାରୁ ନାହିଁ । ଆମ ଦେଶର ଲୋକମାନଙ୍କ ଆର୍ଥିକ ଅବସ୍ଥା ଯଦି ଭଲ ହୁଏ ଓ ଆମ ସରକାର ଯଦି ଏ ଆଡ଼କୁ ଟିକିଏ ଦୃଷ୍ଟି ଦିଅନ୍ତେ, ତେବେ ଆମ ବହିର ଅବସ୍ଥା ମଧ୍ୟ ଅନ୍ୟାନ୍ୟ ଦେଶର ବହି ଭଳି ଭଲ ହୁଅନ୍ତା ।’’

 

‘ଅଜା, ଗୋଟିଏ ଗୋଟିଏ ବହିର ମଲାଟ କାଚପରି ପାଲିସ ଓ ଚକ୍ ଚକ୍ ଦେଖାଯାଏ। ସେ କାଗଜକୁ କି କାଗଜ କହନ୍ତି ?’’ –କୁମାର ପଚାରିଲା ।

 

‘‘ସେଗୁଡ଼ିକୁ କହନ୍ତି ଆର୍ଟ କାଗଜ। ସେଗୁଡ଼ିକ ସାଧାରଣତଃ ତୂଳା, ଛିଣ୍ଡା କନାରୁ ବାହାରିଥିବା ମଣ୍ଡରେ ତିଆରି ହୁଏ । ଯଥେଷ୍ଟ ପରିମାଣରେ ପୂରକ ମିଶାଯାଇ କାଗଜକୁ ଖୁବ୍ ଟାଣ ଓ ଅପେକ୍ଷାକୃତ ମୋଟା କରାଯାଏ । ତତ୍ପରେ କାଗଜର ଦୁଇ ପାଖରେ ଏକପ୍ରକାର ପଦାର୍ଥ ଲଗାଇଦେଇ ଦୁଇ ଚାରି ଥର ଇସ୍ତ୍ରି କରିଦିଅନ୍ତି । ଏହା ଫଳରେ କାଗଜ କାଚଭଳି ପାଲିସ ଓ ଚକ୍‍ଚକ୍‍ ହୋଇଯାଏ ।

 

‘‘ଅଜା, ଗୋଟେ ଗୋଟେ ବହିର ମଲାଟ କାଠପଟା ଭଳି ଖୁବ୍ ଟାଣ ହୋଇଥାଏ କିପରି ? ସେହିସବୁ ମଲାଟ କ’ଣ ଗୋଟିଏ ପ୍ରକାର କାଗଜ ?’’ ରେଣୁ ପଚାରିଲା ।

 

‘ହଁ ମା, ସେସବୁ ମଧ୍ୟ ଗୋଟିଏ ପ୍ରକାର କାଗଜ । ସେହି ମୋଟା କାଗଜକୁ କହନ୍ତି କାଗଜପଟା । ଏହାକୁ ବହି ଓ ଖାତା ଉପର ମଲାଟ କରାଯାଏ । ଫଟୋ ବନ୍ଧାବନ୍ଧିରେ ଏହି କାଗଜପଟା ଫଟୋର ପଛ ପାଖରେ ଦେବା ଦରକାର ପଡ଼େ । ଧନୀ ଲୋକମାନେ ସେମାନଙ୍କ ଛାତ ସୁନ୍ଦର ଦିଶିବାପାଇଁ ଏହି କାଗଜପଟାକୁ ଛାତରେ ଦିଅନ୍ତି । କାଗଜପଟାରେ କେଡ଼େ ସୁନ୍ଦର ମୂର୍ତ୍ତିମାନ ଅଙ୍କାଯାଇ ବିକ୍ରୟ ହୁଏ । ସିନେମା ଷ୍ଟୁଡ଼ିଓ ଓ ଥିଟରମାନଙ୍କରେ ଏହା ନାନାପ୍ରକାର କୃତିମ ଘର, ଦୃଶ୍ୟ, ସାଜସଜ୍ଜା ଆଦିରେ ବହୁ ପରିମାଣରେ ଲାଗେ ।’’

 

‘ଏହି କାଗଜପଟା କ’ଣ କାଗଜମଣ୍ଡରୁ ତିଆରି ହୁଏ ଅଜା ? ଏହା ଏତେ ମୋଟ ହୁଏ କିପରି ?’’ –କୁମାର ପଚାରିଲା ।

 

‘ହଁ ବାବା, କାଗଜପଟାସବୁ କାଗଜମଣ୍ଡରୁ ହିଁ ତିଆରି ହୁଏ । ପ୍ରଥମେ ପ୍ରଥମେ କାଗଜକଳରେ ସେସବୁ କାଗଜ ତିଆରି କରନ୍ତି । ସେହି କାଗଜ ଓଦା ଥିବା ସମୟରେ ଗୋଟିକ ଉପରେ ଗୋଟିଏ ପକାଇ କଳ ସାହାଯ୍ୟରେ ଚାପିଦେଲେ ତାହା ମୋଟା ପଟାରେ ପରିଣତ ହୁଏ । ସାଧାରଣତଃ ନିମ୍ନଶ୍ରେଣୀର ମଣ୍ଡ ଏହି ପଟା ତିଆରିରେ ବ୍ୟବହୃତ ହୁଏ । ତେଣୁ ଏହି ମଣ୍ଡରେ ଓ ପରେ କାଗଜରେ ବେଳେ ବେଳେ ବଡ଼ ବଡ଼ କାଠି କୁଟା ଖଣ୍ଡ ଦେଖିବାକୁ ମିଳେ । କାଗଜପଟା ତିଆରି ସରିଲେ ଏହା ଖୁବ୍ ସାବଧାନତା ସହକାରେ ଗରମ ଘରେ ଶୁଖାଯାଏ। ଏହି କାଗଜ ପଟା ଉପରେ ଗରମ ଲୁହାର ରୋଲର୍ ଚଳାଇ ଏହାକୁ ଇସ୍ତ୍ରି କରନ୍ତି; ଫଳରେ କାଗଜପଟାର ଉପରିଭାଗ ମସୃଣ ହୋଇଯାଏ । ବେଳେବେଳେ କାଗଜପଟା କାଠପଟା ଭଳି ଏକ ଇଞ୍ଚ ପର୍ଯ୍ୟନ୍ତ ମୋଟା ହୋଇଥିବାର ଦେଖାଯାଏ । ଏହିଭଳି ମୋଟା ପଟାଗୁଡ଼ିକ ସାଧାରଣତଃ ଅନ୍ୟ ଉପାୟରେ ତିଆରି କରାଯାଏ ।’’

 

‘‘ଅଜା, ବେଳେବେଳେ ଖୁବ୍ ପାତଳା କାଗଜ ବିଡ଼ି, ସିଗାରେଟ୍, ପାଉଁରୋଟି, ବିସ୍କୁଟ୍ ଉପରେ ଗୁଡ଼ା ହୋଇ ନ ଥାଏ ? ଏତେ ପାତଳା କାଗଜ କିପରି ତିଆରି ହୁଏ ?’’ –କୁମାର ପଚାରିଲା ।

 

“ହଁ, ବାବା, ତୁ ଯେଉଁ କାଗଜ କଥା କହୁଛୁ, ତାକୁ କହନ୍ତି ଟିସୁ କାଗଜ । ଏହା ସବୁଠାରୁ ପାତଳା ଓ ହାଲୁକା । ଏଥିରେ ପୂରକ ଆଦି କିଛି ମିଶା ଯାଇ ନ ଥାଏ ବୋଲି ଏହାଭିତରେ ଅଳ୍ପ ଅଳ୍ପ ଦେଖି ହୁଏ ଓ ଏହି କାଗଜ ମୋତେ ଶକ୍ତ ନୁହେଁ । ଏଗୁଡ଼ିକ ଟିକିଏ ଭଲ ମଣ୍ଡରୁ ଖୁବ୍ ସାବଧାନତା ସହକାରେ ଭଲ ମେସିନ୍‍ର ତିଆରି ହୁଏ । ଏହି କାଗଜରୁ ବିଲାତ, ଆମେରିକା ପ୍ରଭୃତି ଦେଶରେ ହାତପୋଛା ରୁମାଲ ଓ ଆହୁରି କେତେକ ଆବଶ୍ୟକୀୟ ଜିନିଷ ତିଆରି ହୁଏ । ବିଲାତ ପ୍ରଭୃତି ଦେଶରେ ହୋଟେଲରେ ଖାଇସାରିଲେ ହାଏ ମୁହଁ ଧୋଇ କନା ରୁମାଲରେ ନ ପୋଛି ଏହିଭଳି କାଗଜରେ ପୋଛି ତାହାକୁ ପକାଇଦିଅନ୍ତି । ଏହି କାଗଜ ଥରେ ବ୍ୟବହୃତ ହେଲେ ନଷ୍ଟ ହୋଇଯାଏ ।’’

 

‘‘ଅଜା, ଆମର ସେଦିନ ସିମେଣ୍ଟ ପରା କାଗଜ ଖୋଳରେ ଭରତି ହୋଇ ଆସିଥିଲା ? ସେ କାଗଜ କ’ଣ ଏତେ ଟାଣ ଯେ ସିମେଣ୍ଟ ଭଳିଆ ଭାରି ଜିନିଷକୁ ମଧ୍ୟ ଧରିପାରେ ?’’ –ରେଣୁ ପଚାରିଲା ।

 

‘‘ହଁ, ସେ କାଗଜଗୁଡ଼ାକ ଖୁବ୍ ଟାଣ । ଅପେକ୍ଷାକୃତ ଲମ୍ବା ଲମ୍ବା ତନ୍ତୁ ଥିବା ମଣ୍ଡରୁ ତିଆରି ହୋଇଥିବାରୁ ଓ ସେଥିରେ ବେଶୀ ପରିମାଣରେ ପୂରକ ଦିଆଯାଇଥିବାରୁ ତାହା ଏତେ ଟାଣ ହୋଇଥାଏ । କାଗଜ ତିଆରି ସରିବା ପରେ ମହମ ଆଦି ପଦାର୍ଥ କାଗଜ ଉପରେ ଲେପି ଏହାର କଣା ଆଦି ପୂରାପୂରି ବନ୍ଦ କରାଯାଇଥାଏ । ଫଳରେ ଏହା କରିପାରେ ନାହିଁ । ଆଜିକାଲି ସିମେଣ୍ଟ ଅଖା ବସ୍ତାରେ ନ ରହି ଏହି କାଗଜ ଖୋଳରେ ରହୁଥିବାରୁ ସିମେଣ୍ଟ ଶୀଘ୍ର ଖରାପ ନ ହୋଇ ବେଶି ଦିନ ରହିପାରେ । ଏହି କାଗଜ ଖୋଳରେ ସିମେଣ୍ଟ ରହିଲେ ବାୟୁରେ ଥିବା ଜଳୀୟ ଅଂଶ ସିମେଣ୍ଟଭିତରକୁ ଯାଇ ତାକୁ ନଷ୍ଟ କରିଦିଏ ନାହିଁ ।’’

 

‘‘ଅଜା, ବିସ୍କୁଟ ବାକ୍ସଭିତରେ ଗୋଟିଏ ଜାତିର କାଗଜ ପଶି ନ ଥାଏ ? ତାହା ହାତକୁ ଭାରି ପାଲିସ୍ ଲାଗେ । ସେଗୁଡ଼ିକୁ କି କାଗଜ କହନ୍ତି ?’’ ରେଣୁ ପଚାରିଲା ।

 

‘‘ସେଗୁଡ଼ିକୁ କହନ୍ତି ଗୁଡ଼ାଇବା କାଗଜ । ଏହି କାଗଜ ସାଧାରଣତଃ ତରଳ ମହମରେ ବୁଡାଯାଇ ତହିଁରେ ଥିବା କଣାସବୁ ବନ୍ଦ କରା ହୋଇଥାଏ । ତେଣୁ ଏହି କାଗଜ ହାତକୁ ପାଲିସ୍ ଲାଗେ । ଏହିଭଳି କାଗଜଦ୍ୱାରା ବିସ୍କୁଟ ଗୁଡ଼ାଇଲେ ଏହା ଭିତରକୁ ଜଳୀୟ ଅଂଶ ଯାଇ ବିସ୍କୁଟକୁ ନଷ୍ଟ କରିଦିଏ ନାହିଁ ।’’

 

‘‘ଅଜା, ତୁମେ ଯେଉଁ ଏକ ଇଞ୍ଚ ମୋଟା କାଗଜପଟା କଥା କହୁ ନ ଥିଲ, ସେଗୁଡ଼ିକ କ’ଣ ହୁଏ ?’’

 

‘‘ସେ କାଗଜ ପଟା ବହୁତ କାମରେ ଲାଗେ ମା ! ଏହି କାଗଜ ସହିତ ଏକପ୍ରକାର ଜିନିଷ ମିଶାଇ ଏହାକୁ ଏପରି କରାଯାଇଥାଏ ଯେ, ଏହା ଦେହରେ ନିଆଁ ଲାଗିଲେ ସହଜରେ ଜଳିଯାଏ ନାହିଁ। ଏହି କାଗଜପଟାରୁ ବେଳେବେଳେ ରହିବା ପାଇଁ କାଗଜ ଘର ତିଆରି କରାଯାଏ-। କାଗଜପଟାରେ ଅନେକ ସମୟରେ କଳା କଳା ପିଚ୍ ମିଶାଇ ଛାତରେ ପକାଇବା ପାଇଁ ମଜବୁତ୍ କରାଯାଇଥାଏ। ସିନେମା ଷ୍ଟୁଡ଼ିଓମାନଙ୍କରେ ଯେଉଁଠାରେ ସବୁ ଫିଲିମ୍ ତିଆରି କରାଯାଏ, ସେଠାରେ ବିଭିନ୍ନ ପ୍ରକାର କୃତ୍ରିମ ଘର, ଦ୍ୱାର ଆଦି ତିଆରି କରିବା ପାଇଁ ଏହି କାଗଜପଟା ବ୍ୟବହୃତ ହୁଏ । ତୁମ୍ଭେମାନେ ସିନେମାରେ ଯେଉଁ ସବୁ ସୁନ୍ଦର ଘର, ଅଗଣା, ହଲ୍‍ମାନ ଦେଖ, ସେଗୁଡ଼ିକର ଅଧିକାଂଶ ଏହି କାଗଜପଟାରେ ତିଆରି କରାଯାଇଥାଏ । ସେଗୁଡ଼ିକୁ ନାନାଭାବରେ ଚିତ୍ରିତ କରି ତୁମ୍ଭମାନଙ୍କୁ ପ୍ରକୃତ ଘର, ଅଗଣାର ଧାରଣା ଦିଆଯାଇଥାଏ-। ଏହି କାଗଜପଟା ବ୍ୟବହୃତ ହେଉ ନ ଥିଲେ ଛୋଟ ଛୋଟ ଷ୍ଟୁଡ଼ିଓ ଭିତରେ ଆମ୍ଭମାନଙ୍କୁ ବଡ଼ ବଡ଼ ନଅର, ରାଜପ୍ରାସାଦ, ଉଦ୍ୟାନ ପ୍ରଭୃତିର ଧାରଣା ଦେଇ ହୁଅନ୍ତା ନାହିଁ ।’’

 

ଯେଉଁ ନାଲି, ନେଳୀ,ସବୁଜ କାଗଜରୁ କେତେ ରଙ୍ଗର କାଗଜଫୁଲ ଫୁଲଗଛ ଆଦି ତିଆରି ହୁଏ ଓ ଦୁର୍ଗାପୂଜା, ଝୁଲଣ ପର୍ବ ପ୍ରଭୃତିରେ ମେଢ଼, କୁଞ୍ଜ, ଆଦି ତିଆରିରେ ଯାହା ବ୍ୟବହୃତ ହୁଏ, ସେହି କାଗଜସବୁ କିପରି ତିଆରି ହୁଏ ଅଜା ?’’

 

‘‘ଠିକ୍ ମନେ ପକାଇଦେଇଛୁ ବାବା ! ମୁଁ ଯେଉଁ ଟିସୁ କାଗଜ କଥା କହିଗଲିନି, ଏସବୁ ସେହି ଜାତୀୟ କାଗଜ। ସେହିଭଳି ମେସିନ୍ ସାହାଯ୍ୟରେ ତିଆରି ହୁଏ । କାଗଜମଣ୍ଡ ସଫା ହୋଇଗଲା ପରେ ସେଥିରେ ନାଲି, ନେଳୀ, ସବୁଜ ଆଦି କେତେ ରଙ୍ଗ ମିଶାଇ ରଙ୍ଗିନ୍ କରାଯାଏ-। ଏହି ମଣ୍ଡକୁ କାଗଜ ତିଆରି ମେସିନରେ ପକାଇ ସରୁ, ପାତଳ କାଗଜ ତିଆରି କରାଯାଏ-। ଟିସୁ କାଗଜ ଭଳି ଏହି କାଗଜରେ କିଛି ପୂରକ ଦିଆଯାଏ ନାହିଁ, ତେଣୁ ଏହା ଟାଣ ନୁହେଁ ଓ ପାଣି ପଡ଼ିଲେ ଛିଣ୍ଡିଯାଏ ।’’

 

“ଆମକୁ ତ ବ୍ଲଟିଙ୍ଗ୍ କାଗଜ କଥା କିଛି କହିଲନି ଅଜା ?’’ରେଣୁ ପଚାରିଲା ।

 

ବ୍ଳଟିଙ୍ଗ୍‍ କାଗଜ ଯେଉଁ ମଣ୍ଡରୁ ତିଆରି ହୁଏ ସେ ମଣ୍ଡରେ ପୂରକ ବା ଅନ୍ୟାନ୍ୟ ପଦାର୍ଥ ମିଶାଯାଇ ନ ଥାଏ । ଖାଲି ମଣ୍ଡରୁ ଏହା ତିଆରି ହୁଏ । ଏହି କାଗଜକୁ ମଧ୍ୟ ଇସ୍ତ୍ରି କରିବା ଦରକାର ପଡ଼େ ନାହିଁ । ଏହି କାଗଜର ଛିଦ୍ରଗୁଡ଼ିକ ସେହିଭଳି ରହିଥାଏ । ଏହା ଉପରେ ଟୋପାଏ ପାଣି ପଡ଼ିଲେ ତାହା ସେହି ଛିଦ୍ର ପଟେ ଭିତରକୁ ଶୋଷି ହୋଇଯାଏ । ଲେଖିସାରି ଅକ୍ଷର ଉପରୁ ଅଧିକା କାଳି ଉଠାଇନେବାକୁ ହେଲେ ଏହି କାଗଜକୁ ଲେଖା ହୋଇଥିବା ଅକ୍ଷର ଉପରେ ପକାଇଦେଲେ ଏହା କାଳିକୁ ଶୋଷିନିଏ । ଏଥିରେ ପୂରକ ଆଦି ଦିଆଯାଇ ନ ଥିବାରୁ ଏହାର ପ୍ରକୃତି ଏପରି । ବ୍ଳଟିଙ୍ଗ୍ କାଗଜ ବହୁ ଦିନ ବ୍ୟବହାର ହୋଇପାରିବାପାଇଁ ଏହାକୁ ସାଧାରଣ କାଗଜଠାରୁ ଅଧିକ ମୋଟ କରାଯାଇଥାଏ ।’

 

‘ଏହିସବୁ କାଗଜ ଆମ ଦେଶରେ ତିଆରି ହୁଏ, ନା ବିଦେଶରୁ ଆସେ ?’’ –ରେଣୁ ପଚାରିଲା ।

 

‘‘ତୁ ଜାଣିନୁ ରେଣୁ, ଆମ ମାଷ୍ଟ୍ରେ ସେଦିନ କ୍ଲାସରେ କହୁଥିଲେ, କଲିକତାରେ କାଗଜକଳ ଅଛି । ଆମେ ଯେଉଁ ସବୁ କାଗଜ ଉପରେ ଲେଖୁ, ସେଗୁଡ଼ିକ ପରା କଲିକତାରୁ ଆସୁଛି । ଏକଥା ସତ ନା ଅଜା ?’’ –କୁମାର କହିଲା ।

 

‘ହଁ, ତୁମ୍ଭେମାନେ ଯେଉଁସବୁ କାଗଜରେ ଲେଖୁଛ, ସେଗୁଡ଼ିକରୁ ଅଧିକାଂଶ କଲିକତାରେ ଥିବା କାରଖାନାମାନଙ୍କରୁ ଆସେ। ଆମ ଓଡ଼ିଶାରେ ଯେଉଁ ସବୁ କାଗଜକଳ ଅଛି, ତା କଥା ତୁମ ମାଷ୍ଟ୍ରେ କ୍ଳାସରେ କହିନାହାନ୍ତି କୁମାର ?’’

 

‘ହଁ ଅଜା, ମାଷ୍ଟ୍ରେ ସେ ଦିନ କହୁଥିଲେ ଆମ ଓଡ଼ିଶାର ସମ୍ବଲପୁରରେ ମଧ୍ୟ ଗୋଟିଏ କାଗଜକଳ ଅଛି । ଏହାକୁ ବସାଇଛନ୍ତି ଭାରତର ପ୍ରସିଦ୍ଧ କୋଟିପତି ସେଠ ଘନଶ୍ୟାମ ଦାସ ବିରଳା । ଏହି କାଗଜକଳଟି ଖୁବ୍ ବଡ଼; ଏହାର ନାଁ ହେଉଛି ଓରିଏଣ୍ଟ କାଗଜ କଳ ।’’

 

‘ହଁ କୁମାର, ଆମ ସମ୍ବଲପୁରର ଓରିଏଣ୍ଟ କାଗଜକଳ ବେଶ୍ ବଡ଼ । କିନ୍ତୁ ଏହାଠାରୁ ଆହୁରି ବଡ଼ କଳ ଅଛି କଲିକତାରେ । କଲିକତାର ଟିଟାଗଡ଼ କାଗଜ କଳ ନାଁ ଶୁଣିଛୁ ? ତୁମେମାନେ ଯେଉଁ ହାତୀମାର୍କା ଏକସରସାଇଜ ଖାତା ଓ ହାତୀ ମାର୍କା ଧଳା ଫୁଲ୍‍ସକେପ୍‍ କାଗଜ ବ୍ୟବହାର କର, ସେଗୁଡ଼ିକ ପରା ଏହି କାଗଜକଳରୁ ଆସେ । ଏହି କାଗଜକଳ ବହି ଛାପା କାଗଜ, ଲେଖାଲେଖି କାଗଜ, ପୋଷ୍ଟକାର୍ଡ଼ର କାଗଜ, ଏକସରସାଇଜ୍ ଖାତା ତିଆରି ପାଇଁ ରୁଲ୍‍ ପଡ଼ିଥିବା କାଗଜ, ଚିଠି ଲେଖିବା ପାଇଁ ନାଲି, ନୀଳ କେତେ ପ୍ରକାର କାଗଜ ତିଆରି କରେ । ଆମ ଦେଶରେ ଏହି ହେଉଛି ସବୁଠାରୁ ବଡ଼ କାଗଜକଳ । ଏ କଳକୁ ଛାଡ଼ି ମଧ୍ୟ ଆହୁରି କେତେକ କାଗଜକଳ ଆମ ଦେଶରେ ଅଛି । କଲିକତାର ଆଉ ଏକ କାଗଜକଳ ନାଁ ହେଉଛି ବେଙ୍ଗଲ ପେପର ମିଲସ୍ । ଏଥିରୁ ଯେଉଁ କାଗଜ ଆସେ, ସେଥିରେ ମହାବଳ ବାଘ ମୁହଁର ପାଣିଛାପା ଥାଏ-। ଏହାକୁ ଛାଡ଼ି ବିହାରରେ କାଗଜପଟା ତିଆରି ପାଇଁ ଗୋଟିଏ କଳ ଏବଂ ମହୀଶୂରରେ ବିଭିନ୍ନ ଜାତୀୟ କାଗଜ ତିଆରି କରିବା ପାଇଁ କଳ ଅଛି ।

 

‘‘ଆମେ ଯେଉଁ ଖବରକାଗଜ ପଢ଼ୁ, ସେହି ଖବରଛାପା କାଗଜ ଆମ ଦେଶର କେଉଁ କଳରେ ତିଆରି ହୁଏ ଅଜା ?’’ କୁମାର ପଚାରିଲା ।

 

‘‘ନା, ବାବା, ଖବରଛାପା କାଗଜ ଆମ ଦେଶରେ ଯଥେଷ୍ଟ ତିଆରି ହୁଏ ନାହିଁ । କାନଡ଼ା, ନରୱେ, ସୁଇଡ଼େନ ପ୍ରଭୃତି ଦେଶରୁ ମଧ୍ୟ ଏହା ଆମ ଦେଶକୁ ଆମଦାନୀ କରାଯାଏ। ଏହି ଖବରଛାପା କାଗଜ ପାଇଁ ଆମ ଦେଶରୁ କୋଟି କୋଟି ଟଙ୍କା ବିଦେଶକୁ ବୋହିଯାଏ। ଆମ ଭାରତ ସରକାର ଦେଶରେ ବର୍ତ୍ତମାନ ଏହି ଖବରଛାପା କାଗଜକଳ ବସାଇବା ପାଇଁ ସ୍ଥିର କରୁଛନ୍ତି । ତା ନ ହେଲେ ପରଦେଶକୁ ଆମେ ଅଯଥା କେତେ ଧନ ଆଉ ବୋହିଦେବା ?

 

‘ଆରେ ତୁମେ କ’ଣ ମୋ କଥା ଶୁଣିବାରେ ଲାଗିଯାଇଛ ! କେତେଟା ବାଜିଲାଣି ଜଣାଅଛି ନା ? ଘଡ଼ିକୁ ଅନାଇ ଦେଖ, ରାତି ନଅଟା ହୋଇଗଲାଣି–ଯାଅ, ଯାଅ, ଶୋଇବ । କିରେ, ତୁମକୁ କ’ଣ ନିଦ ଲାଗୁନାହିଁ ?

 

‘‘ନାଇଁ ତ ଅଜା, ଆମକୁ ଏ କଥା ଶୁଣିଲା ବେଳୁଁ ଆଉ ଶୋଇବା ପାଇଁ ମନ ହେଉନି । ଆଖିକୁ ଟିକିଏ ସୁଦ୍ଧା ନିଦ ଆସୁନି ।’’ ରେଣୁ ଉତ୍ତର ଦେଲା ।

 

‘ହେଉ, ଢେର୍ ଶୁଣିଲଣି, ଏବେ ଯାଅ । ତୁମ ବୋଉ ଅନାଇ ବସିଥିବେ । ରାତି ବହୁତ ହୋଇଗଲାଣି ପରା !’’

 

‘‘କାଲି ଆମକୁ କ’ଣ କହିବ, ଜାଣିଚ ନା ଅଜା ?’’

 

‘‘କେଉଁ କଥାରେ ?’’

 

‘‘କାଚ କଥା ।’’ ରେଣୁ କହିଲା ।

 

‘‘ନା, ନା, ଚିନି ତିଆରି କଥା ।’‘ କୁମାର କହିଲା ।

 

‘‘ହେଉ, ହେଉ, ଯାଅ, କାଲି ଆସିଲେ ଚିନି କଥା ଶୁଣିବ ।

 

ଭାଇ ଭଉଣୀ ଦୁଇଜଣ ହାତ ଧରାଧରି ହୋଇ ମନ ଆନନ୍ଦରେ ଅଜାଙ୍କ କୋଠରୀ ଭିତରୁ ବାହାରି ଚାଲିଗଲେ ।

Image